ପଶ୍ଚିମବଙ୍ଗରେ ଦିଦିଙ୍କ ଗଡରେ ଫିଟିବ ପଦ୍ମ: ତାମିଲନାଡୁରେ ପୁଣି ଆସିପାରେ ଷ୍ଟାଲିନଙ୍କ ସରକାର, ଏକଜିଟ ପୋଲ ଆସିବା ପରେ ବଢିଲା ଚର୍ଚ୍ଚା
ଆସାମରେ କ୍ଷମତାକୁ ଫେରିପରେ ବିଜେପି, ପଶ୍ଚିମବଙ୍ଗରେ ହେବ ରୋଚକ ସ୍ଥିତି
ନୂଆଦିଲ୍ଲୀ:ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା। ମତଦାନ ଶେଷ ହେବା ପରେ ଏବେ ଏକଜିଟ ପୋଲ ଆସିଛି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ମତଦାନ ହୋଇଛି। ଏଠାରେ ବିଜେପିକୁ ୧୫୦ରୁ ୧୬୦ ଆସନ ମିଳିପାରେ। ଶାସକ ତୃଣମୂଳ କଂଗ୍ରେସକୁ ୧୩୦ରୁ ୧୪୦ ଆସନ ମିଳିପାରେ। ଚାଣକ୍ୟ ଦ୍ବାରା ଏଭଳି ସର୍ଭେ ଆକଳନ କରାଯାଇଛି। ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୧୪୬ରୁ ୧୬୧ ଆସନ ଦେଇଥିବା ବେଳେ ତୃଣମୂଳ କଂଗ୍ରେସକୁ ୧୨୫ରୁ ୧୪୦ ଆସନ ମିଳୁଛି। ପୁଲ ଡାଏରି ସର୍ଭେ ରିପୋର୍ଟ ଅନୁସାରେ ଟିଏମ୍ସିକୁ ପଶ୍ଚିମବଙ୍ଗରେ ୯୯ରୁ ୧୨୭ ଆସନ ମିଳିବ। କିନ୍ତୁ ବିଜେପିକୁ ୧୪୨ରୁ ୧୭୧ ଆସନ ମିଳିବ। ଅନ୍ୟ ଦଳକୁ ୫ରୁ ୯ଟି ଆସନ ମିଳିପାରେ। ଏତଦ ବ୍ୟତୀତ ଅନ୍ୟ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଆସିବ ବୋଲି ଆକଳନ କରିଛନ୍ତି। ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମ୍କେକୁ ୧୨୨ରୁ ୧୩୨ଟି ଆସନ ମିଳିପାରେ। ଅପରପକ୍ଷେ ବିରୋଧୀ ଦଳ ଏଆଇଡିଏମ୍କେକୁ ୮୭ରୁ ୧୦୦ ଆସନ ମିଳିପାରେ। ସେହିଭଳି ଅନ୍ୟ ଦଳ ୧୦ରୁ ୧୮ଟି ଆସନ ହାତେଇପାରନ୍ତି। ୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ବାଦମଦଳକୁ ୬୦ରୁ ୬୫ ଆସନ ମିଳିପାରେ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।
କେଉଁ ରାଜ୍ୟରେ କିଏ ସରକାର ଗଢ଼ିବେ ତାହାର ପୂର୍ବାନୁମାନ କରିଛନ୍ତି ଏକଜିଟ ପୋଲ। ତେବେ ପ୍ରକୃତରେ କେଉଁଠି କିଏ ସରକାର ଗଢ଼ିବେ ତାହା ୨୦୨୬ ମେ’ ୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ମେ ୪ ତାରିଖରେ ଆସିବ ଫଳାଫଳ।