ଓଡିଶା ଜନତା କଂଗ୍ରେସ ପକ୍ଷରୁ ମଧୁ ବାବୁ ଜୟନ୍ତି ପାଳିତ: ମଧୁ ବାବୁଙ୍କ ଭଳି ଓଜେସି ଲୋକଙ୍କ ପାଇଁ କାମ କରିବ କହିଲେ ମୋକିମ
ଓଡ଼ିଆ ଜାତିର ବୌଦ୍ଧିକ ବିକାଶର ସେ ଥିଲେ ମୁଖ୍ୟ ପୁରୋଧା । ଓଡ଼ିଶାର ପ୍ରଥମ ବାରିଷ୍ଟର ଭାବେ ସେ ଆଇନ ବୃତ୍ତିକୁ ଏକ ନୂତନ ସମ୍ମାନ ଦେଇଥିଲେ
ଭୁବନେଶ୍ବର: ଓଡିଶା ଜନତା କଂଗ୍ରେସ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ଓଜେସି ମୁଖ୍ୟ କାର୍ଯ୍ୟଳୟରେ ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ମୋକିମ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡିଆ ସ୍ୱାଭିମାନର ଶ୍ରେଷ୍ଠ ପ୍ରତୀକ ମଧୁବାବୁ ଥିଲେ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ମଧୁ ବାବୁ ଯେମିତି ଓଡିଆଙ୍କ ପାଇଁ ନିଜ ଜୀବନ ସମର୍ପି ଦେଇଥିଲେ, ଠିକ୍ ସେହିପରି ଓଡିଶା ଜନତା କଂଗ୍ରେସ ଲୋକଙ୍କ ପାଇଁ କାମ କରିବ ବୋଲି ପ୍ରତିଷ୍ଠାତା ସଦସ୍ୟ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ଅନେକ ନେତା ଯୋଗ ଦେଇ ନିଜ ଅଭି ଭାଷଣ ରଖିଥିଲେ।
ଓଡ଼ିଆ ଜାତିର ବୌଦ୍ଧିକ ବିକାଶର ସେ ଥିଲେ ମୁଖ୍ୟ ପୁରୋଧା । ଓଡ଼ିଶାର ପ୍ରଥମ ବାରିଷ୍ଟର ଭାବେ ସେ ଆଇନ ବୃତ୍ତିକୁ ଏକ ନୂତନ ସମ୍ମାନ ଦେଇଥିଲେ । ତାଙ୍କରି ସ୍ମୃତିରେ ଆଜିର ଦିନଟି ଓଡ଼ିଶାର ସମସ୍ତ ଆଇନଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ । ବିଛିନ୍ନ ହୋଇ ପଡ଼ିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ସେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଗଢ଼ିଥିଲେ । ତାଙ୍କରି ତ୍ୟାଗ ଯୋଗୁଁ ହିଁ ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ପାଇଲା। ସେ ଜଣେ ବିପ୍ଳବୀ ସଂସ୍କାରକ ଥିଲେ। ମହିଳାମାନଙ୍କୁ ଆଇନ ପଢ଼ିବା ଓ ଓକିଲାତି କରିବା ପାଇଁ ସେ ଯେଉଁ ସୁଯୋଗ ସୃଷ୍ଟି କରିଥିଲେ, ତାହା ସେ ସମୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ବୋଲି ଅତିଥି ମାନେ ମତ ଦେଇଥିଲେ। ନେତାଙ୍କ ଭିତରେ ବଦ୍ରି ନାରାୟଣ ମହାନ୍ତି, ମଧୁ ମହାନ୍ତି, ମନୋଜ ଜେନା, ପ୍ରଦୀପ ପ୍ରଧାନ, ନରେଶ ମହାନ୍ତି, ସଞ୍ଜୟ ରାୟ ପ୍ରମୂଖ ବରିଷ୍ଠ ନେତା ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେହିପରି ସଂଗ୍ରାମ କିଶୋର ମାଝୀ, ସୋମନାଥ ରାଉତ, ସଙ୍ଗୀତା ପ୍ରଧାନ, ଶକ୍ତିକାନ୍ତ ସାହୁ, ବିବେକାନନ୍ଦ ବିଶ୍ୱାଳ, ଅମିତ୍ ଦାସ, ସୁଧୀର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ।