ଆମେରିକାରେ ଟ୍ରମ୍ପ ପ୍ରଶାସନ ପାଇଁ ବଢ଼ିବ ଆର୍ଥିକ ସଙ୍କଟ : ଦେଶର ଋଣ ସୀମା ୪୧.୧ ଟ୍ରିଲିୟନ ଡଲାରକୁ ନେଇ ବଢିଲା ଚିନ୍ତା
ଆମେରିକାରେ ସରକାରୀ ପାଣ୍ଠି ଯୋଗାଣକୁ ନେଇ ପ୍ରଥମ ବଡ଼ ଚ୍ୟାଲେଞ୍ଜ ଡିସେମ୍ବର ୧୧ରେ ସାମ୍ନାକୁ ଆସିପାରେ। ସେପ୍ଟେମ୍ବରରେ ରାଷ୍ଟ୍ରପତି ଟ୍ରମ୍ପ ସ୍ୱାକ୍ଷର କରିଥିବା ଅସ୍ଥାୟୀ ସରକାରୀ ପାଣ୍ଠି ବିଲ୍ର ଅବଧି ଏହି ଦିନ ଶେଷ ହେବ
ୱାଶିଂଟନ: ଆଗାମୀ ଦୁଇ ବର୍ଷ ଆମେରିକାର ରାଜନୀତିରେ ଆର୍ଥିକ ଓ ପ୍ରଶାସନିକ ସଂଘର୍ଷ ତୀବ୍ର ହେବାର ଆଶଙ୍କା ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ବିରୋଧୀ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣରେ ଥିବା କଂଗ୍ରେସ ସହ କାମ କରିବାକୁ ପଡ଼ିବ। ଫଳରେ ସରକାରୀ ପାଣ୍ଠି ଯୋଗାଣ, ଋଣ ସୀମା ବୃଦ୍ଧି ଏବଂ ବଜେଟ୍ ନିଅଣ୍ଟକୁ ନେଇ ଉଭୟ ଦଳ ମଧ୍ୟରେ ରାଜନୈତିକ ଲଢ଼େଇ ଜୋରଦାର ହୋଇପାରେ। ଆଗାମୀ ଦୁଇ ବର୍ଷ ଟ୍ରମ୍ପ ପ୍ରଶାସନ ପାଇଁ କେବଳ ରାଜନୈତିକ ନୁହେଁ, ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏକ ବଡ଼ ପରୀକ୍ଷା ହେବ। ସରକାରୀ ପାଣ୍ଠି, ଋଣ ସୀମା ଏବଂ ବଜେଟ୍ ନିଅଣ୍ଟକୁ ନେଇ ଡେମୋକ୍ରାଟ୍ ଓ ରିପବ୍ଲିକାନ୍ଙ୍କ ମଧ୍ୟରେ ସହମତି ନହେଲେ ଏହାର ପ୍ରଭାବ କେବଳ ଆମେରିକା ନୁହେଁ, ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ।
ଆମେରିକାରେ ସରକାରୀ ପାଣ୍ଠି ଯୋଗାଣକୁ ନେଇ ପ୍ରଥମ ବଡ଼ ଚ୍ୟାଲେଞ୍ଜ ଡିସେମ୍ବର ୧୧ରେ ସାମ୍ନାକୁ ଆସିପାରେ। ସେପ୍ଟେମ୍ବରରେ ରାଷ୍ଟ୍ରପତି ଟ୍ରମ୍ପ ସ୍ୱାକ୍ଷର କରିଥିବା ଅସ୍ଥାୟୀ ସରକାରୀ ପାଣ୍ଠି ବିଲ୍ର ଅବଧି ଏହି ଦିନ ଶେଷ ହେବ। ଏହା ପୂର୍ବରୁ କଂଗ୍ରେସ ନୂଆ ପାଣ୍ଠି ବ୍ୟବସ୍ଥା ଉପରେ ସହମତି ନହେଲେ ସରକାରୀ କାର୍ଯ୍ୟ ବନ୍ଦ (Government Shutdown) ପରିସ୍ଥିତି ସୃଷ୍ଟି ହୋଇପାରେ।
ଆମେରିକା ପାଇଁ ଆଉ ଏକ ବଡ଼ ଆର୍ଥିକ ଚ୍ୟାଲେଞ୍ଜ ହେଉଛି ଦେଶର ଋଣ ସୀମା । ବର୍ତ୍ତମାନ ଆମେରିକାର ଋଣ ସୀମା ୪୧.୧ ଟ୍ରିଲିୟନ ଡଲାର ରହିଥିବାବେଳେ ଏହା ମଧ୍ୟରୁ ପ୍ରାୟ ୪୦.୫ ଟ୍ରିଲିୟନ ଡଲାର ଋଣ ନିଆଯାଇସାରିଛି। ଟ୍ରେଜେରୀ ବିଭାଗର ତଥ୍ୟ ଅନୁସାରେ, ଆଗାମୀ ପ୍ରାୟ ଏକ ବର୍ଷ ମଧ୍ୟରେ ଋଣ ସୀମା ପୂରଣ ହେବାର ଆଶଙ୍କା ରହିଛି। ଆମେରିକାର ଆର୍ଥିକ ସ୍ଥିତିକୁ ନେଇ ଆଉ ଏକ ଚିନ୍ତାଜନକ ଦିଗ ହେଉଛି ବଜେଟ୍ ନିଅଣ୍ଟ। ବର୍ତ୍ତମାନ ଦେଶର ବଜେଟ୍ ନିଅଣ୍ଟ ଜିଡିପିର ପ୍ରାୟ ୬ରୁ ୭ ପ୍ରତିଶତ ରହିଛି। ଅର୍ଥନୈତିକ ଶୃଙ୍ଖଳା ପାଇଁ ଏହାକୁ ୩ ପ୍ରତିଶତକୁ ହ୍ରାସ କରିବା ଲାଗି ଋଣ ନିରୀକ୍ଷକ ସଂସ୍ଥାଗୁଡ଼ିକ ଦାବି କରୁଛନ୍ତି।
ଡିସେମ୍ବରରେ ସରକାରୀ ପାଣ୍ଠିକୁ ନେଇ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇପାରେ। କାରଣ, କ୍ଷମତା ଛାଡ଼ିବାକୁ ଯାଉଥିବା ଦଳ ଶେଷ ଥର ପାଇଁ ନିଜ ପ୍ରଭାବ ବଢ଼ାଇବାକୁ ଚାହିଁବ।