thelifelinemedia
Latest Odisha News, Breaking News Today

ମଣିପୁରରେ ସରିବାକୁ ଯାଉଛି ରାଷ୍ଟ୍ରପତି ଶାସନ: ପୁଣି ଥରେ ସରକାର ଗଠନ ପାଇଁ ଆରମ୍ଭ ହୋଇଛି କସରତ: ଫେବ୍ରୁଆରି ୧୨ ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ଶାସନ

ରାଜ୍ୟର ଦାୟିତ୍ୱ କିଏ ନେବ ସେ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି। ଏବେ ଠୁ ଆରମ୍ଭ ହୋଇଗଲାଣି ଛକାପଞ୍ଝା

ମଣିପୁର: ମଣିପୁରରେ ରାଷ୍ଟ୍ରପତି ଶାସନ ଏବେ ଶେଷ ହେବାକୁ ଯାଉଛି।ପ୍ରାୟ ଗୋଟିଏ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ସାରିବାକୁ ଯାଉଛି। ଏହାର କାର୍ଯ୍ୟକାଳ ଫେବ୍ରୁଆରି ୧୨ ତାରିଖରେ ଶେଷ ହେଉଛି। ତେଣୁ ଏବେ ଠୁ ସେଠାରେ ଜନତାଙ୍କ ସରକାର ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଣିପୁରର ସମସ୍ତ ଏନ୍‌ଡିଏ ବିଧାୟକଙ୍କୁ ଦିଲ୍ଲୀ ଡକାଇଛନ୍ତି। ମଣିପୁରର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୋମବାର, ଫେବ୍ରୁଆରି ୨ ତାରିଖରେ ରାଜଧାନୀ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ମଣିପୁର ବିଜେପି ସଭାପତି ଅଧିରାଜମାୟୁମ୍ ଶାରଦା ଦେବୀ ଓ ୨୦ ରୁ ଅଧିକ ବିଜେପି ବିଧାୟକ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏନ୍‌ଡିଏର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଓ ନାଗା ପିପୁଲ୍ସ ଫ୍ରଣ୍ଟର ବିଧାୟକମାନଙ୍କୁ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି।

ତେବେ ଏ ସବୁ ଭିତରେ ରାଜ୍ୟର ଦାୟିତ୍ୱ କିଏ ନେବ ସେ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି। ଏବେ ଠୁ ଆରମ୍ଭ ହୋଇଗଲାଣି ଛକାପଞ୍ଝା। ଲାମସାଙ୍ଗ ବିଧାୟକ ଏସ. ରାଜେନ ସିଂହ କହିଛନ୍ତି, ସରକାର ଗଠନ ହେବାର ସମ୍ଭାବନା ଥିଲେ ମଧ୍ୟ ରାଜ୍ୟର ବର୍ତ୍ତମାନର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ କେନ୍ଦ୍ରୀୟ ନେତୃତ୍ୱ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ବୈଠକ ସମ୍ପର୍କରେ ସକାରାତ୍ମକ ମନୋଭାବ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ସହଯୋଗୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଏକ ଭଲ ଫଳାଫଳ ଆଶା କରୁଛନ୍ତି। ଏଠି କହି ରଖୁଛୁ, ମଣିପୁରରେ ଦୁଇ ଜାତି ଭିତରେ ବିବାଦ ଓ ବିଶୃଙ୍ଖଳାକୁ ନେଇ ସେଠି ବିଗତ ଦିନରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଯାହାକୁ ପ୍ରଶମିତ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Leave A Reply

Your email address will not be published.