ଆଜିଠୁ ଐତିହାସିକ କଟକ ବାଲିଯାତ୍ରା:ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ସର୍ବବୃହତ୍ ମୁକ୍ତାକାଶ ମେଳା
ଉଦ୍ଘାଟନ ପୂର୍ବରୁ ରାଷ୍ଟ୍ରପତି ବୋଟ୍ କ୍ଲବରୁ 'କଳିଙ୍ଗ ତରଙ୍ଗିଣୀ' ନାମକ ଏକ ସ୍ୱତନ୍ତ୍ର ସୁସଜ୍ଜିତ ନୌକାରେ ମହାନଦୀ ବିହାର କରି 'କଟକ ଇନ୍ କଟକ' ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି
କଟକ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହୋଇଛି। ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ମହାନଦୀ କୂଳରେ ଆୟୋଜିତ ଏସିଆର ଏହି ସର୍ବବୃହତ୍ ମୁକ୍ତାକାଶ ମେଳା ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ। ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଅପରାହ୍ନରେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଉଦ୍ଘାଟନ ପୂର୍ବରୁ ରାଷ୍ଟ୍ରପତି ବୋଟ୍ କ୍ଲବରୁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଏକ ସ୍ୱତନ୍ତ୍ର ସୁସଜ୍ଜିତ ନୌକାରେ ମହାନଦୀ ବିହାର କରି ‘କଟକ ଇନ୍ କଟକ’ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ଉଭୟ ଉପର ଏବଂ ତଳ ବାଲିଯାତ୍ରା ପଡ଼ିଆରେ ଶହ ଶହ ଷ୍ଟଲ୍, ଘରକରଣା ସାମଗ୍ରୀ, ହସ୍ତଶିଳ୍ପ, ଏବଂ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବ। ଚଳିତ ବର୍ଷ ପରିବେଶ ସୁରକ୍ଷା ଏବଂ ‘ସବୁଜ ବାଲିଯାତ୍ରା’ (Green Bali Jatra) ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି।