ଦିଲ୍ଲୀରେ କେବଳ ଚାଲିବ BS-VI ଗାଡ଼ି
ନୂଆଦିଲ୍ଲୀ: ଶୀତ ମାସଗୁଡ଼ିକରେ ଦିଲ୍ଲୀରେ କେବଳ ବିଏସ୍-୬ ଗାଡ଼ିଗୁଡ଼ିକୁ ହିଁ ଚଳାଚଳ କରିବାକୁ ଅନୁମତି ଦିଆଯିବ ବୋଲି ସୁପ୍ରିମକୋର୍ଟ ସୋମବାର ଦିନ ସ୍ପଷ୍ଟ କରିଛନ୍ତି । ଏହା ସହିତ ଚଳିତ ନଭେମ୍ବର ମାସରେ ଦିଲ୍ଲୀର ବାୟୁ ଗୁଣବତ୍ତା ତୁଳନାତ୍ମକ ଭାବରେ ଭଲ ଥିବାରୁ, ଏହାକୁ ସୁପ୍ରିମକୋର୍ଟ ସୌଭାଗ୍ୟ ବୋଲି କହିଛନ୍ତି । ଅନୁକୂଳ ପବନ ପ୍ରବାହ ଯୋଗୁଁ ବାୟୁ ପ୍ରଦୂଷଣ ‘ଅତି ଗମ୍ଭୀର’ ଶ୍ରେଣୀକୁ ଯାଇନାହିଁ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ସମଗ୍ର ଏନ୍.ସି.ଆରରେ ସମ୍ଭବ ନୁହେଁ, ତେବେ ଅତି କମରେ ଦିଲ୍ଲୀ ଭିତରେ କେବଳ ବିଏସ୍-୬ ଗାଡ଼ି ଚଳାଚଳକୁ ଅନୁମତି ମିଳିବ ।
ଦିଲ୍ଲୀ-ଏନ୍.ସି.ଆର୍ ବାୟୁ ପ୍ରଦୂଷଣକୁ ନେଇ ନିଜଆଡ଼ୁ ରୁଜୁ ହୋଇଥିବା ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ, ଚଳିତ ନଭେମ୍ବରରେ ଏହି ଅଞ୍ଚଳରେ ପ୍ରଦୂଷଣ ‘ଅତି ଗମ୍ଭୀର’ ସ୍ତରକୁ ଯାଇନାହିଁ । ଏହା ଆମ ପାଇଁ ସୌଭାଗ୍ୟର ବିଷୟ । କୋର୍ଟ କହିଛନ୍ତି ଯେ, ପବନ ଯୋଗୁଁ ହିଁ ଏପର୍ଯ୍ୟନ୍ତ ପରିସ୍ଥିତି ବିଗିଡ଼ି ନାହିଁ । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଯେତେବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କଥା ଉଠାଇଥିଲେ, ସେତେବେଳେ କୋର୍ଟ କହିଥିଲେ ଯେ, ଏହା ମୁଖ୍ୟତଃ ପ୍ରକୃତିର ଦାନ ।