ସିଝିବ ଓଡ଼ିଶା, ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି
ଆଗାମୀ ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ଅଛି, ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଓ ଗୁଳୁଗୁଳି ବଢିବ
ଭୁବନେଶ୍ୱର: ସୋମବାରରୁ ଆହୁରି ବଢ଼ିବ ଖରା । ଗୁଳୁଗୁଳିରେ ଅସହ୍ୟ ହୋଇ ପଡ଼ିବ ଜୀବନ । ପାରଦ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହିଟ୍ୱେଭ୍ ବା ଗ୍ରୀଷ୍ମପ୍ରବାହ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଓଡ଼ିଶାରେ ଆଗାମୀ ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ଅଛି, ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଓ ଗୁଳୁଗୁଳି ବଢିବ। କାଳବୈଶାଖୀ ପ୍ରଭାବ କମିବା ପରେ ପାରଦ ୪୨ ଡିଗ୍ରୀ ସେଲସିୟସ ମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଉତ୍ତର ଓଡ଼ିଶା ଓ ସଂଲଗ୍ନ କ୍ଷେତ୍ରରେ ସମୁଦ୍ର ୦.୯ କିମି ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।