ଆଉ ନାହାନ୍ତି ଆଶା ଭୋସଲେ:୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁର ସାମ୍ରାଜ୍ଞୀ
ଭାରତୀୟ ସଙ୍ଗୀତ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟାଇଥିବା ଏହି ସୁର ସାମ୍ରାଜ୍ଞୀ ନିଜ କ୍ୟାରିଅର ମଧ୍ୟରେ ୧୨ ହଜାରରୁ ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିଲେ
ମୁମ୍ବାଇ: ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁର ସାମ୍ରାଜ୍ଞୀ ଆଶା ଭୋସଲେ। ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ଆଶା ଭୋସଲେ ଆମ ଗହଣରେ ଆଉ ନାହାନ୍ତି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ ବିମୋହିତ କରିଥିବା ଅପ୍ରତିଦ୍ୱନ୍ଦ୍ୱୀ ଗାୟିକା ଆଶା ଭୋସଲେ ସମସ୍ତଙ୍କ ହୃଦୟରେ ରାଜ କରି ଆସିଛନ୍ତି।
ଶନିବାର ହୃଦଘାତ ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଭାରତୀୟ ସଙ୍ଗୀତ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟାଇଥିବା ଏହି ସୁର ସାମ୍ରାଜ୍ଞୀ ନିଜ କ୍ୟାରିଅର ମଧ୍ୟରେ ୧୨ ହଜାରରୁ ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିଲେ। ପପ୍, ଗଜଲ, ଭଜନ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିବା ଏହି ମହୀୟସୀ ମହିଳାଙ୍କୁ ଦାଦା ସାହେବ ଫାଲକେ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ଭୂଷିତ କରାଯାଇଥିଲା। ଆସନ୍ତା ସୋମବାର ଦିନ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।