କଟକରେ କଡ ଲେଉଟାଇଲା ରାଜନୀତି:ଦଳ ନୁହେଁ ବାପରେ ଦାୟ,ବାପାଙ୍କ ଅପମାନର ପ୍ରତିଶୋଧ ନେଲେ ଯୁବ ବିଧାୟକ,ଜିଲ୍ଲାରେ ଭାଙ୍ଗୁଛି ବିଜେଡି, ବଢ଼ୁଛି ବିଜେପି
ଏଭଳି ସ୍ଥିତି ବାସ୍ତବ ରୂପ ନିଏ ତା ହେଲେ ବିଜେଡି ଗଡ ଭାବେ ପରିଚିତ କଟକରେ ଯେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ ଏ କଥାକୁ ଏଡାଇ ଦିଆଯାଇ ନ ପାରେ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ରୋଚକ ହୋଇଛି କଟକ ଜିଲ୍ଲା ରାଜନୀତି। ବାରବାଟୀ କଟକର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଡୋସ… ଚୌଦ୍ୱାର କଟକର ବିଜେଡି ବିଧାୟକ ସୌଭିକ ବିଶ୍ବାଳ.. ବଞ୍ଜୀ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ଦଳ ବିରୁଦ୍ଧରେ କଟକର ଏହି ତିନି ଯୁବ ବିଧାୟକ କ୍ରସ ଭୋଟିଙ୍ଗ କରିବା କଟକ ରାଜନୀତିକୁକୁ ଚର୍ଚ୍ଚାରେ ରଖିଛି। ଚର୍ଚ୍ଚା ହେଉଛି ଏମାନେ ବିଜେପି ଆଡ଼କୁ ଢଳି ପାରନ୍ତି।
ରାଜ୍ୟ ରାଜନୀତିରେ ସବୁବେଳେ କଟକ ଜିଲ୍ଲା ନେତାମାନଙ୍କର ପ୍ରଭାଵ ରହି ଆସିଛି। କିନ୍ତୁ ବାପାଙ୍କ ଅପମାନର ପ୍ରତିଶୋଧ ନେଇ ଦେବୀ ଓ ସୌଭିକ୍ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ବାପା ମୋକିମଙ୍କ ପ୍ରତି କଂଗ୍ରେସ ଯେଉଁ ଅବିଚାର କରିଛି ତାର ମଧ୍ୟ ପ୍ରତିଶୋଧ ନେଇଛନ୍ତି ସୋଫିଆ। ତେଣୁ ଏହି ତିନି ଯୁବ ଚେହେରା ଆଗକୁ ବିଜେପି ଆଡ଼କୁ ଢଳିବେ ବୋଲି ନିସନ୍ଦେହରେ କୁହା ଯାଇପାରେ। ଯଦି ଏଭଳି ସ୍ଥିତି ବାସ୍ତବ ରୂପ ନିଏ ତା ହେଲେ ବିଜେଡି ଗଡ ଭାବେ ପରିଚିତ କଟକରେ ଯେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ ଏ କଥାକୁ ଏଡାଇ ଦିଆଯାଇ ନ ପାରେ।