ରାଜ୍ୟର ବଡ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ:କଟକ ଏସସିବିରେ ଅଗ୍ନିକାଣ୍ଡ ଘଟି ୧୦ ମୃତ, ବଡ଼ ମେଡିକାଲରେ ବଡ଼ ବିଭ୍ରାଟ , ଘଟଣାର ହେବ ଉଚ୍ଚ ସ୍ତରୀୟ ତଦନ୍ତ
ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା।ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
କଟକ: କଟକ ଏସସିବିରେ ଅଗ୍ନିକାଣ୍ଡ ଘଟି ୧୦ ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଘଟଣା ଘଟିଥିଲା ମଧ୍ୟରାତ୍ରୀରେ । ଯେତେବେଳେ ରୋଗୀ ଓ ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ଠିକ୍ ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ। ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ପ୍ରବଳ କ୍ଷତି ହୋଇଥିଲା। ICUରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଏଥିରେ 10ଜଣଙ୍କ ଜୀବନ ଚାଲିଯାଇଛି।
ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଅବହେଳାରୁ ଏଭଳି ଅଘଟଣ ଘଟିଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ପଟେ ଏହି ଦୁଃଖଦ ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।