ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪ ବର୍ଷ:ଯୁଦ୍ଧ ସମାପ୍ତି ନେଇ କେବେ ଫିଟିବ ବାଟ ? କେବେ ସରିବ ଯୁଦ୍ଧ, କେବେ ଫେରିବ ଶାନ୍ତି
ଯୁଦ୍ଧର କ୍ଷୟକ୍ଷତି କେବଳ ଋଷ ଓ ୟୁକ୍ରେନ ମଧ୍ୟରେ ସୀମିତ ହୋଇ ରହି ନାହିଁ ବରଂ ସାମାଜିକ ଆର୍ଥିକ ଭାବେ ପୁରା ବିଶ୍ୱକୁ ପ୍ରଭାବିତ କରିଛି। ୨୦୨୨ ଠାରୁ ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି
ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସବୁଠାରୁ ଭୟଙ୍କର ଚିତ୍ର ସମଗ୍ର ମାନବ ଜାତିକୁ ଥରହର କରିଛି। ଯୁଦ୍ଧ ମଇଦାନରେ 4 ବର୍ଷ ହେଲା ହନ୍ତସନ୍ତ ହେଉଛି ୟୁରୋପ ବାସୀ। ଋଷ ଓ ୟୁକ୍ରେନ ଯୁଦ୍ଧକୁ ଆଜି 4 ବର୍ଷ ପୁରିଲା। ହେଲେ ସମାଧାନର ବାଟ ଫିଟିଲା ନାହିଁ। ବହୁବାର ଉଭୟ ଦେଶ ଆଲୋଚନା ଟେବୁଲ କୁ ଆସିଛନ୍ତି, ହେଲେ କିଛି ବି ନିଷ୍କର୍ଷ ବାହାରି ପାରିନି। ଦିନ ପରେ ଦିନ.. ମାସ ପରେ ମାସ.. ଏମିତିକି ବର୍ଷ ପରେ ବର୍ଷ ବିତିଗଲା କିନ୍ତୁ ଯୁଦ୍ଧ ବନ୍ଦ ହେବାର ରାସ୍ତା ବାହାରି ପାରିଲାନି।ବିନାଶ ମୁହାଁ ମାନବ ସମାଜ, ଧ୍ୱଂସାବଶେଷରେ ପରିଣତ ହେଲାଣି ଉଭୟ ଋଷ ଓ ୟୁକ୍ରେନ ଦେଶ।
ଯୁଦ୍ଧର କ୍ଷୟକ୍ଷତି କେବଳ ଋଷ ଓ ୟୁକ୍ରେନ ମଧ୍ୟରେ ସୀମିତ ହୋଇ ରହି ନାହିଁ ବରଂ ସାମାଜିକ ଆର୍ଥିକ ଭାବେ ପୁରା ବିଶ୍ୱକୁ ପ୍ରଭାବିତ କରିଛି। ୨୦୨୨ ଠାରୁ ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଫେବ୍ରୁଆରି ୨୦୨୨ରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ରୁଷିଆର ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣର ଘୋଷଣା କରିଥିଲେ । ରୁଷିଆ ସୈନ୍ୟବାହିନୀ ବିଭିନ୍ନ ଦିଗରୁ ଆକ୍ରମଣ କରିଥିଲେ । ୨୦୧୪ରୁ ଚାଲିଆସୁଥିବା ତିକ୍ତତା ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ୟୁକ୍ରେନ୍ର ଶାସନ ମୁଖ୍ୟ ନାଟୋରେ ସାମିଲ ହେବା ଜିଦ୍ ଯୋଗୁଁ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏବେ ଆଗକୁ ଏ ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା କାହାକୁ ଜଣାନାହିଁ।