ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓଲ୍ହାଇବ ବିଜେଡ଼ି

ଭୁବନେଶ୍ୱର:ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି। ଗରୀବ ଶ୍ରେଣୀ କଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ।ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହା ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି।
ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ପ୍ରତିବାଦ କରିବେ।ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା ବୋଲି ଦଳ କହିଛି। ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଦରଦାମ ହୁ ହୁ ହୋଇ ବଢି ଚାଲିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବୁ। ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ। ଯାହା ଖାଉଟିଙ୍କୁ ବାଧୁଛି ବୋଲି ବିଜେଡି କହିଛି।