ଅଲ୍ଲୁ ଅର୍ଜୁନଙ୍କ ଘରେ ଭଙ୍ଗାରୁଜା: ମୃତକଙ୍କ ପରିବାରକୁ ୧କୋଟି ଦେବାକୁ ଦାବି

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ।ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ବାସଭବନରେ ରବିବାର ଓସ୍ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି। ପୁଲିସ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟର ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି)ର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଜୁବିଲି ହିଲ୍ସ ଥାନାକୁ ନିଆଯାଇଥିଲା। ପୁଷ୍ପା ୨ ଫିଲ୍ମ ପ୍ରିମିୟରରେ ଦଳାଚକଟାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ବିକ୍ଷୋଭକାରୀ। ବିକ୍ଷୋଭକାରୀଙ୍କ ଆକ୍ରମଣ ଓ ଭଙ୍ଗାରୁଜା ସମୟରେ ଘରେ ଅଲ୍ଲୁ ଅର୍ଜୁନ ନଥିବା ଜଣାପଡିଛି।
ଗତ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ସିନେମା ହଲ୍ରେ ଦଳାଚକଟା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାପରେ ବିବାଦ ଘେରରେ ରହିଛନ୍ତି ଅଲ୍ଲୁ ଅର୍ଜୁନ।