କଳିଙ୍ଗ ଷ୍ଟାଡିଅମରେ ସର୍ବ ଭାରତୀୟ ହକି ଚାମ୍ପିୟନସିପ : ପୋଲିସ ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଚାମ୍ପିୟନସିପରେ ଦେଶର ୨୭ଟି ପୁରୁଷ ଏବଂ ୧୦ଟି ମହିଳା ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରହିବା ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ। ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ଭିଭିଆଇପି ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଖେଳାଳିଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଡିଜିପି ବୈଠକରେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଏସ. କେ. ପ୍ରିୟଦର୍ଶୀ, ନିର୍ଦେଶକ ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର, ଆଇଜିପି ଅନୁପ କୁମାର ସାହୁ, ଅତିରିକ୍ତ ପୋଲିସ କମିଶନର ଡ଼ ଉମାଶଙ୍କର ଦାଶ, ଡି.ଆଇ.ଜି.ପି ଅଖିଳେଶ୍ବର ସିଂ, ଡି.ଆଇ.ଜି.ପି କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।