thelifelinemedia
Latest Odisha News, Breaking News Today

କାଲିଠୁ ଜମିବ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ 

କଟକ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେବ ଉଦଘାଟନ ବାଲିଯାତ୍ରା। ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ। ଏଥିସହ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ହାଇକମିଶନର ତଥା ଅନ୍ୟାନ୍ୟ ଅତିଥି ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ଏହି ସବୁ ରାଷ୍ଟ୍ର ଗୁଡିକ ମଧ୍ୟରେ ରହିଛି ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ।

ଚଳିତଥର ବାଲିଯାତ୍ରାର ଉପର ପଡିଆ ଓ ତଳ ପଡିଆକୁ ମିଶାଇ ୨୫୦୦ରୁ ଅଧିକ ଛୋଟ ବଡ ଷ୍ଟଲ ସ୍ଥାନ ପାଇଛି । ସେଥିମଧ୍ୟରୁ ଓରମାସରେ ରହିଛି ୫୦୦ ଷ୍ଟଲ । ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓରମାସରେ ପ୍ରାଧାନ୍ୟ ଦିଆଯାଇଛି । ଓରମାସରେ ପିଠା ମହୋତ୍ସବ, ମାଟି ପାତ୍ର ତିଆରି ଏବଂ ତନ୍ତ ବୁଣା ଆଦି ମଧ୍ୟ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଚଳିତଥର ୭ଟି ଆନ୍ତର୍ଜାତୀୟ ଷ୍ଟଲ ମଧ୍ୟ ସ୍ଥାନ ପାଇଛି । ବାଲିଯାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଚଳିତଥର ତଳ ପଡିଆରେ ୩ଟି ମୁଖ୍ୟ ପ୍ରବେଶ ଦ୍ୱାର ଏବଂ ଗୋଟିଏ ଜରୁରୀକାଳୀନ ପ୍ରବେଶ /ପ୍ରସ୍ଥାନ ଦ୍ୱାର ଖୋଲାଯିବା ସହ ପଡିଆ ମଧ୍ୟରେ ଗମନାଗମନ ନିମନ୍ତେ ୪ଟି ରାସ୍ତା କରାଯାଇଛି । ଏଥିସହ ରାସ୍ତା କଡରେ ଉଠାଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ବାରଣ କରାଯାଇଛି । ଧୂଳି ନିୟନ୍ତ୍ରଣ କରିବା ନିମନ୍ତେ ରାସାୟନିକ ମିଶ୍ରଣ ସ୍ପ୍ରେ କରାଯାଉଛି । ମନୋରଞ୍ଜନ ନିମନ୍ତେ ବଲିଉଡ୍ ନାଇଟ୍ ସହ ଲେଜର ଶୋ, ଡ୍ରୋନ୍ ଶୋ, କାଇଟ୍ ଫେଷ୍ଟିଭାଲ ଆଦି ବ୍ୟବସ୍ଥା କରାଯାଇଛି । ପଡିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ ରିକ୍ସା ବ୍ୟବସ୍ଥା କରାଯାଇଛି। ପଡିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି । ନଦୀ କୂଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛି । ପ୍ରଥମ ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଂଚରେ ବାଲି, ଇଣ୍ଡୋନେସିଆ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସଂଧ୍ୟା ମଧ୍ୟ ଉଦଘାଟନୀ ଉତ୍ସବର ଅନ୍ୟତମ ଆକର୍ଷଣ ରହିଛି ।

Leave A Reply

Your email address will not be published.