ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ :୧୦ ପ୍ରତିଶତ ହୋମଗାର୍ଡ ପାଇବେ ନିଯୁକ୍ତି

କଟକ:ହୋମଗାର୍ଡଙ୍କ ପାଇଁ ଆସିଲା ବଡ ଖବର। ଅଗ୍ନିଶମ ବିଭାଗର ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ପଦବୀରେ ୧୦ ପ୍ରତିଶତ ହୋମଗାର୍ଡ ପାଇବେ ନିଯୁକ୍ତି। ନିୟମ ଅନୁଯାୟୀ ଏହି ପଦବୀ ଅଣସରକ୍ଷିତ ବର୍ଗକୁ ଯାଇ ପାରିବ ନାହିଁ। ବର୍ଷ ବର୍ଷ ଧରି ଏହି ପଦବୀ ଖାଲି ଥିଲେ ତାହା କେବଳ ହୋମଗାର୍ଡ ମାନଙ୍କୁ ଦିଆଯିବ ବୋଲି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ନିଯୁକ୍ତି ନେଇ ୨୦୨୩ ଅଗଷ୍ଟ ମାସରେ ହୋଇଥିବା ବିଜ୍ଞପ୍ତି ଉପରେ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଶେଷ କରି ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ହାଇକୋର୍ଟଙ୍କ ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏ ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟରେ ସିଲ କଭରରେ ଦାଖଲ ହୋଇଥିବା ଚୂଡାନ୍ତ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ଅଗଷ୍ଟ ୨୯ ତାରିଖରେ ରାଜ୍ୟରେ ୯୪୧ ଟି ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ସେଥି ମଧ୍ୟରେ ୮୨୬ ଆଗ୍ନିକ ଓ ୧୧୫ ଆଗ୍ନିକ ଡ୍ରାଇଭର ପଦବୀ ରହିଥିଲା। ଏହି ପଦବୀରେ ନିୟମ ଅନୁଯାୟୀ ୧୦ ପ୍ରତିଶତ ହୋମଗାର୍ଡ ନିଯୁକ୍ତି ପାଇବା କଥା। କିନ୍ତୁ ଏହି ଚୟନ ପ୍ରକ୍ରିୟାରେ ହୋମଗାର୍ଡଙ୍କ ପାଇଁ ଥିବା ସଂରକ୍ଷିତ ପଦବୀ ଅଣସଂରକ୍ଷିତ ଆସନରେ ସାମିଲ କରାଯାଇଥିଲା। ଏ ନେଇ କିଛି ହୋମଗାର୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୧୦ ପ୍ରତିଶତ ହୋମଗାର୍ଡଙ୍କୁ ଚୟନରେ ସାମିଲ କରି ତୁରନ୍ତ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।