thelifelinemedia
Latest Odisha News, Breaking News Today

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରି ଏଥିପାଇଁ ପ୍ରସ୍ତାବ ରଖିଥିଲେ।ଏହାପରେ ସରକାରଙ୍କ ତରଫରୁ ଆଞ୍ଚଳିକ ଶାଖା ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ଶ୍ରୀ ସୂରଜ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ କରିଛନ୍ତି। ଓଡ଼ିଶାର ଇତିହାସ, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ଓଡ଼ିଆ ନାଟ୍ୟ ପରମ୍ପରାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ପୁରାଣକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାଟକ ପ୍ରସ୍ତୁତି ଏବଂ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଆ ମାଟିର କାହାଣୀ, ଗୌରବମୟ ଇତିହାସ ଏବଂ ସଂସ୍କୃତି ଲୋକମାନଙ୍କ ନିକଟରେ ପହଞ୍ଚିପାରିଛି । ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାରପ୍ରସାର ଏବଂ ସଂପ୍ରସାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ।

ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କପାଇଁ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଭୁବନେଶ୍ୱର ଆଞ୍ଚଳିକ ଶାଖା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏଠାରେ ଉଚ୍ଚକୋଟୀରର ପ୍ରଶିକ୍ଷଣ ଲାଭ କରିସାରିବା ପାରେ ଛାତ୍ରଛାତ୍ରୀମାନେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ନାଟକ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଇତିହାସର ବହୁଳ ପ୍ରଚାରପ୍ରସାର କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Leave A Reply

Your email address will not be published.