ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ୬୮୩ କୃତକାର୍ଯ୍ୟ, ପ୍ରଥମ ୧୦ଙ୍କ ମଧ୍ୟରେ ୫ ମହିଳା

ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବା ବା ଓଏଏସ ୨୦୨୨ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୬୮୩ ଜଣ କୃତ କାର୍ଯ୍ୟ ହୋଇଛନ୍ତି। ପ୍ରଥମ ଦଶ ଜଣ ମଧ୍ୟରେ ୫ଜଣ ମହିଳା ଓ ୫ ପୁରୁଷ ଥିବାର ଜଣାପଡିଛି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ରହିଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି। ୬୮୩ ଜଣଙ୍କ ମଧ୍ୟରେ ୪୨୫ଜଣ ପୁରୁଷ ଓ ୨୫୮ଜଣ ମହିଳା ରହିଛନ୍ତି।
ଓଡିଶା ସିଭିଲ ସର୍ଭିସର ଗ୍ରୁପ ଏ ଓ ଗ୍ରୁପ ବି ର ୬୮୩ ପଦ ପୂରଣ ପାଇଁ ଓପିଏସସି ପକ୍ଷରୁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା। ଚଳିତ ବର୍ଷ ଫେବୃଆରୀ ୨୫ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ୫ଟି ଜୋନରେ ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ଅଗଷ୍ଟ ୨୮ ତାରିଖରେ ଫଳ ପ୍ରକାଶ ପାଇଥିଲା। ପରେ ଓପିଏସସି ମୁଖ୍ୟ କାର୍ଯ୍ୟାଳୟ ଠାରେ ସାକ୍ଷାତାକର ଓ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା। ଗତକାଲି ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇଥିଲା।