ଉତ୍ତର ପ୍ରଦେଶ ବହରାଇଚରେ ଥମୁନି ହିଂସା : ସାମ୍ପ୍ରଦାୟିକ ହିଂସାରେ ଜଣଙ୍କ ମୃତ୍ୟୁ ପରେ ବିଗୁଡିଛି ସ୍ଥିତି

ବ୍ୟୁରୋ: ଉତ୍ତର ପ୍ରଦେଶ ବହରାଇଚରେ ଦୁର୍ଗାପୂଜା ଭସାଣ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସାଙ୍ଘାତିକ ରୂପ ନେବାକୁ ଯାଉଛି।ରବିବାର ସନ୍ଧ୍ୟାରେ ଧାର୍ମିକ ଭାବନାକୁ କେନ୍ଦ୍ର କରି ଉପୁଜିଥିବା ହିଂସା ଥମିବାର ନାଁ ନେଉନି। ପଥରମାଡ଼ ଓ ଗୁଳିକାଣ୍ଡରେ ଜଣେ ଯୁବକର ମୃତ୍ୟୁ ପରେ ସ୍ଥିତି ଆହୁରି ବିଗଡିବାରେ ଲାଗିଛି। ଦୁଇ ସମୁଦାୟ ମଧ୍ୟରେ ଲାଗିରହିଥିବା ଏ ବିବାଦ ଉଗ୍ର ରୂପ ନେବାକୁ ଯାଉଛି। ହିଂସା ପ୍ରଭାବିତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଂଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ। ଭସାଣ ସମୟରେ ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ପଥର ଓ ଗୁଳିମାଡ଼ ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକର ମୃତ୍ୟୁ ହୋଇଥିଲା।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଯେଉଁମାନେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାଙ୍କୁ ଭଙ୍ଗ କରୁଛନ୍ତି ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ତେବେ ଧାର୍ମିକ ଭାବନାକୁ ନେଇ ଉତ୍ତର ପ୍ରଦେଶରେ ଏଭଳି ହିଂସା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି ଯାହା ଜାତୀୟ ସ୍ତରରେ ସାମାଜିକ ଓ ରାଜନୀତି କ୍ଷେତ୍ରରେ ଚାଞ୍ଚଲ୍ୟ ଖେଳାଇ ସାରିଛି।