ନୋଟାରୀ ବିବାହ ବୈଧ ନୁହେଁ: ନୋଟାରୀ ବିବାହ ଓ ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ

ନୂଆଦିଲ୍ଲୀ: ଏଣିକି ନୋଟାରୀ ପାଖରେ ବିବାବ ବୈଧ ନୁହେଁ। ନୋଟାରୀ ବିବାହକୁ ଆଇନଗତ ହିସାବରେ ବୈଧ କରାଯିବନି।ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ। କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶିତ ହୋଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନୋଟାରୀମାନେ ବିବାହ ଅଧିକାରୀ ଭାବେ ନିଯୁକ୍ତ ହୋଇ ନ ଥାନ୍ତି। ନୋଟାରୀ ଆକ୍ଟ- ୧୯୫୨ ଅଥବା ନୋଟାରୀଜ୍ ରୁଲ୍-୧୯୫୬ ଅନୁସାରେ ସେମାନେ ବିବାହ କିମ୍ବା ବିବାହ ବିଛେଦ ସମ୍ପର୍କିତ ଦଲିଲ୍ ପ୍ରସ୍ତୁତ କରିପାରିବେ ନାହିଁ। ନୋଟାରୀ ଆଇନ ୧୯୫୨ ଧାରା ୮ (ଉପଧାରା ୮)ରେ ନୋଟାରୀଙ୍କ ନିକଟରେହୋଇଥିବା ବିବାହ ବା ବିବାହ ବିଚ୍ଛେଦକୁ ବୈଧ ବୋଲି ମାନ୍ୟତା ଦିଆଯାଇ ନାହିଁ ।ସେହିପରି ୧୯୫୬ ନୋଟାରୀ ଆଇନରେ ମଧ୍ୟ ଏହାକୁ ସ୍ବୀକୃତି ଦିଆଯାଇ ନାହିଁ। ପୁନଶ୍ଚ କେବଳ ବିବାହ ନୁହେଁ, ବିଚ୍ଛେଦ କ୍ଷେତ୍ରରେ ମଧ୍ୟ ନୋଟାରୀମାନଙ୍କ ନିକଟରେ ପ୍ରସ୍ତୁତ ଦଲିଲ ଅଦାଲତରେ ଗ୍ରହଣୀୟ ହେବ ନାହିଁ। ମାତ୍ର ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନୋଟାରୀମାନେ ବିବାହ, ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଓ ନଥିପତ୍ର ପ୍ରସ୍ତୁତ କରୁଥିବା ଦେଖାଯାଉଛି। ଆଇନତଃ ଏହା ବୈଧ ନହେଲେ ମଧ୍ୟ ଏହାକୁ ବିଭିନ୍ନ ଅନୁଷ୍ଠାନ ସ୍ବୀକୃତି ଦେଉଛନ୍ତି। ଯାହାଦ୍ବାରା ଭାରତ ସରକାର ପ୍ରଣୟନ କରିଥିବା ଆଇନର ଉଲଂଘନ ହେଉଛି ଏବଂ ଅନେକ କ୍ଷେତ୍ରରେ ବିଭ୍ରାଟ ମଧ୍ୟ ସୃଷ୍ଟି ହେଉଛି। ତେଣୁ ନୋଟାରୀମାନେ ଏଥୁରୁ ବିରତ ରହିବାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଏବଂ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛି ।ନୋଟାରୀମାନେ ଏହି କାର୍ଯ୍ୟ ସମ୍ପାଦନ କଲେ ତାହା ଅବୈଧ ଘୋଷିତ ହେବ ଏବଂ ସମ୍ପୃକ୍ତ ନୋଟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।