thelifelinemedia
Latest Odisha News, Breaking News Today

ଗାନ୍ଧୀ ଓ ଓଡିଶା: ଓଡିଶାକୁ କେବେ ଆସିଥିଲେ ଗାନ୍ଧୀ… ଏମିତି ଥିଲା ମହାତ୍ମା ଗାନ୍ଧୀଙ୍କ ଓଡିଶା ସହିତ ସମ୍ପର୍କ 

ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ସାରା ଦେଶ ଆଜି ଜାତିର ଜନକଙ୍କୁ ମନେ ପକାଉଛି। ଓଡିଶା ସହିତ ଗାନ୍ଧୀଙ୍କ ସଂପର୍କରେ ହୁଏତ କେହି ଜାଣି ନଥିବେ ମ କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେଓଡିଶା ଆସିବାକୁ ଗାନ୍ଧୀ ବେଶ ଭଲ ପାଉଥିଲେ। ଓଡ଼ିଶା ସହିତ ଗାନ୍ଧିଜୀଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ସଂପର୍କ ଥିଲା ବୋଲି ପ୍ରକାଶ କରି ସେ କହିଲେ ଯେ ଗାନ୍ଧିଜୀ ଓଡ଼ିଶାକୁ ତାଙ୍କ ଅନୁଭବ ଓ ବିଚାରର ପ୍ରୟୋଗଶାଳା ଭାବରେ ଗ୍ରହଣ କରିଥିଲେ । ତାଙ୍କ ଚିନ୍ତନ ଓ ଜୀବନଧାରାକୁ ଓଡ଼ିଶା ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ଗାନ୍ଧୀଜୀ ଓଡ଼ିଶାକୁ ୭ ଥର ଆସିଥିଲେ। ୧୯୨୧ ମାର୍ଚ୍ଚରେ ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନର ସମ୍ବାଦ ସେହି ମାସ ୨୭ ତାରିଖ ‘ଅମୃତ ବଜାର’ ପତ୍ରିକାରେ ଯେପରି ଭାବରେ ପରିବେଷଣ ହୋଇଥିଲା ତାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡେ। ସମ୍ବାଦରେ ଲେଖାଥିଲା-‘ମାର୍ଚ୍ଚ ୨୩ ତାରିଖ ହୋଲି ହୋଇଥିଲେ ମଧ୍ୟ ଲୋକମାନେ ଗାନ୍ଧୀ ଆଗମନରେ ଆନନ୍ଦଉଲ୍ଲାସର ରଙ୍ଗ ଖେଳିଥିଲେ । କଟକରେ ପହଞ୍ଚିବା ମାତ୍ରେ ୭୨ଟି କୀର୍ତ୍ତନମଣ୍ଡଳୀ ସହିତ ୧୦ ହଜାର ଲୋକ ତାଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇପାର୍ଶୋରେ ହଜାର ହଜାର ଲୋକ ମହାତ୍ମା ଗାନ୍ଧୀକି ଜୟ କହୁଥିଲେ। ଘର ଛାତରୁ ମା’ ଭଉଣୀମାନେ ଫୁଲବର୍ଷା କରାଇଥିଲେ । ସବୁ ଘର ଦ୍ୱାର ସଜା ଯାଇଥିଲା । ଗାନ୍ଧିଜୀ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ।’ କାଠଯୋଡି ବାଲିରେ ସଭା ସାରି ସେ ପୃଥକ ପୃଥକ ବର୍ଗର ଲୋକମାନଙ୍କ ସଭାରେ ବକ୍ତୃତା ଦେଇଥିଲେ

ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣରେ ଗାନ୍ଧିଜୀ ୧୯୨୫ ମସିହା ଅଗଷ୍ଟ ୧୯ ତାରିଖରେ ଓଡ଼ିଶା ଆସି ତାଙ୍କର ଅତିଥି ହୋଇଥିଲେ। ସେ ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିଥିଲେ। ଓଡ଼ିଶାରୁ ଫେରି ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ରେ ଓଡ଼ିଶାକୁ ଆମର ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ। ଗାନ୍ଧିଜୀ ଲେଖିଥିଲେ-‘ଓଡ଼ିଶାର ନିଜର ଉଜ୍ଜ୍ୱଳ ଇତିହାସ ଅଛି। ସେଠାରେ ବିଶାଳ ମନ୍ଦିରମାନ ଅଛି। ସେଠି ଜଗନ୍ନାଥ ଅଛନ୍ତି ଯେ ପ୍ରାଣୀ ମଧ୍ୟରେ ପ୍ରଭେଦ ବିଚାର କରନ୍ତି ନାହିଁ।’

୧୯୨୭ ମସିହା ଡିସେମ୍ବର ମାସରେ ଓ ୧୯୨୮ ମସିହା ଡିସେମ୍ବର ମାସରେ ଗାନ୍ଧୀଜୀ ଓଡ଼ିଶା ଗସ୍ତରେ ଆସିଥିଲେ । କିନ୍ତୁ ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ଥିଲା ଉଲ୍ଲେଖଯୋଗ୍ୟ ଓ ଘଟଣାବହୁଳ। ମଇ ୫ ତାରିଖରେ ପହଞ୍ଚି ସେ ମଇ ୧୬ ତାରିଖରେ ଓଡ଼ିଶା ଛାଡ଼ିଥିଲେ କିନ୍ତୁ ପୁଣି ୨୧ ତାରିଖରେ ଆସି ଜୁନ୍‌ ୮ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ମଇ ୮ ତାରିଖ ଦିନ ସେ ପୁରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାନ୍ଧୀଜୀଙ୍କ ଏହି ଦୀର୍ଘ ଗସ୍ତକୁ ‘ହରିଜନ ପଦଯାତ୍ରା’ କୁହାଯାଏ। ସମାଜର ପତିତ, ଦଳିତ, ନିଷ୍ପେସିତ ତଥା ଅବହେଳିତ ଲୋକଙ୍କ ପାଇଁ ସାମାଜିକ ନ୍ୟାୟ ଓ ଜାତିପ୍ରଥା ବିରୁଦ୍ଧରେ ଜନଚେତନା ଜାଗ୍ରତ ଉଦ୍ଦେଶ୍ୟରେ ଗାନ୍ଧୀଜୀଙ୍କ ଏହି ଗସ୍ତ ସ୍ମରଣୀୟ ରହିବ।

୧୯୩୪ ମସିହା ମଇ ୧୫ ତାରିଖ ସନ୍ଧ୍ୟା ସାଢ଼େ ୫ଟାବେଳେ ଗାନ୍ଧିଜୀ ବାଲିଅନ୍ତା ଛାଡ଼ିଲେ ଓ ସନ୍ଧ୍ୟା ସାତଟାବେଳେ ତେଲେଙ୍ଗାପେଣ୍ଠରେ ପହଞ୍ଚିଲେ । ସେଥିପାଇଁ ତେଲେଙ୍ଗାପେଣ୍ଠ ମାଟି ଏତେ ପବିତ୍ର । ବାଟସାରା ଗାନ୍ଧିଜୀଙ୍କ ପଛେ ପଛେ ପ୍ରାୟ ଦୁଇ ହଜାର ଲୋକ ‘ଗାନ୍ଧିଜୀ କି ଜୟ’ ଧ୍ୱନି କରି ଆସୁଥିଲେ । ତେଲେଙ୍ଗାପେଣ୍ଠରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ମିଳିଲା, ଯେତେବେଳେ ୮୦ ବର୍ଷର ଜଣେ ବୃଦ୍ଧା ଗାନ୍ଧିଜୀଙ୍କୁ ଆଲିଙ୍ଗନ କଲେ ଓ ନିଜ ହାତରେ ସୂତାକାଟି ବୁଣିଥିବା ଗୋଟିଏ ଖଦଡ଼ ଲୁଗା ଗାନ୍ଧିଜୀଙ୍କୁ ଉପହାର ଦେଲେ । ମହାତ୍ମାଜୀ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଓ ଲୁଗାଟି ସାତଟଙ୍କାରେ ନିଲାମ ହୋଇଥିଲା। ତେଲେଙ୍ଗାପେଣ୍ଠରେ ସେତେବେଳେ ଲୋକମାନେ ଗାନ୍ଧିଜୀଙ୍କ ପାଣ୍ଠିକୁ ୨୫ ଟଙ୍କା ୧୨ ଅଣା ଦାନ କରିଥିଲେ।

Leave A Reply

Your email address will not be published.