ବଳ ଗୋଟାଉଛି ଗଭୀର ଅବପାତ, ଆଜି ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଉଛି ଗଭୀର ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ରାତି ପ୍ରାୟ ୮ଟା ସୁଦ୍ଧା ଏହା ପୁରୀଠାରୁ ୧୫୦ କିମି ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିଥିବା ବେଳେ ଗୋପାଳପୁରଠାରୁ ୧୮୦ କିମି ପୂର୍ବ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ଦକ୍ଷିଣକୁ ୧୯୦ କିମି, ଚାନ୍ଦବାଲିଠାରୁ ୨୫୦ କିମି, ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ୍ଠାରୁ ୨୪୦ କିମି ଓ ପଶ୍ଚିମବଙ୍ଗର ଦୀଘାଠାରୁ ୩୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ଅର୍ଥାତ୍ ସୋମବାର ସକାଳ ସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହୋଇପାରେ। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ।
ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ। ସୋମବାର ସକାଳ ସୁଦ୍ଧା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ଅତିରୁ ଅତିପ୍ରବଳ(୨୦୦ ମିଲିମିଟରରୁ ଅଧିକ) ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ(୧୨୦ରୁ ୨୦୦ ମିମି)ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୧୦ ତାରିଖ ପୂର୍ବାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।