ହସିନାଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ, ଗଣହତ୍ୟା ମାମଲାରେ ଚାଲିବ ବିଚାରଣା

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗଣହତ୍ୟା ଅଭିଯୋଗ ସଂକ୍ରାନ୍ତ ବିଚାରଣାର ସମ୍ମୁଖୀନ ହେବେ। ଏଥିପାଇଁ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପଠାଇବା ପାଇଁ ଯୋଜନା କରୁଛି ବାଂଲାଦେଶ। ଆଜି ସରକାରୀ ଭାବେ ଏ ସଂକ୍ରାନ୍ତ ଘୋଷଣା ହୋଇଥିବାରୁ ଆଗକୁ ହସିନାଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇପାରେ। ବାଂଲାଦେଶରେ ଭୟଙ୍କର ହିଂସା ପରେ ହସିନା ଦେଶ ଛାଡ଼ି ଅଗଷ୍ଟ ୫ରେ ଭାରତ ଆସିଥିଲେ ଏବଂ ଏବେ ବି ଭାରତର ଶରଣରେ ଅଛନ୍ତି। ନ୍ୟାୟିକ ପ୍ରକ୍ରିୟା ପାଇଁ ବାଂଲାଦେଶ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ଅନୁରୋଧ କଲେ ଭାରତ ପାଇଁ ଏକ ବଡ଼ କୂଟନୈତିକ ଚ୍ୟାଲେଂଜ ଆସିବ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି)ର ନବନିଯୁକ୍ତ ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ସହ ପ୍ରଚଳିତ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିବାକୁ କହିଛନ୍ତି।
ହସିନା ଏବଂ ଅନ୍ୟ ଫେରାର ସନ୍ଦିଗ୍ଧଙ୍କ ବିରୋଧରେ ଗିରଫ ପରୱାନା ପାଇଁ ବାଂଲାଦେଶୀ କର୍ତ୍ତୃପକ୍ଷ ପଦକ୍ଷେପ ତ୍ବରାନ୍ବିତ କରିଥିବାରୁ ଖୁବ୍ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ଅନୁରୋଧ ମିଳିପାରେ ବୋଲି କୁହାଯାଉଛି। ସାମୂହିକ ହତ୍ୟା ଓ ମାନବିକତା ବିରୋଧୀ ଅପରାଧ ମାମଲାରେ ଶେଖ ହସିନାଙ୍କ ସମେତ ସମସ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବ ବୋଲି ଅନ୍ତରୀଣ ସରକାରର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ୧୯୭୧ ଗଣହତ୍ୟା ପାଇଁ ପାକିସ୍ତାନୀ ସେନାର ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିବା ନିମନ୍ତେ ୨୦୦୯ରେ ହସିନାଙ୍କ ଦ୍ୱାରା ସ୍ଥାପିତ ଆଇସିଟିରେ ନୂତନ ବିଚାରପତି ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ଅନୁସନ୍ଧାନକାରୀ ଟିମ୍କୁ ପୁନର୍ଗଠନ କରିବାକୁ ଯୋଜନା ହେଉଛି । ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପରେ ହସିନାଙ୍କ ବିରୋଧରେ ବଡ଼ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚାଲିଛି। ଅନ୍ତରୀଣ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ନୁରଜାହାଁ ବେଗମ୍ କହିଛନ୍ତି ଯେ ହସିନାଙ୍କ ପ୍ରଶାସନ ବିରୋଧରେ ହୋଇଥିବା ବିକ୍ଷୋଭରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି।