ଭଙ୍ଗାଯିବ ଦିଲ୍ଲୀ ସ୍ଥିତ ଓଡିଶା ଭବନ: ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନକୁ ଭଙ୍ଗାଯିବ। ଅସୁରକ୍ଷିତ ଥିବା କାରଣରୁ ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍ ପାଇଁ ୨୦୨୦ରେ ଦିଲ୍ଲୀ ମହାନଗର ନିଗମ ପ୍ରସ୍ତାବ ଦେଇଥିଲା। ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅଡିଟ୍ କରାଯାଇଥିଲା। ୨୦୨୨ ଏପ୍ରିଲ୍ ୧୯ରେ ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ଓଡ଼ିଶାଭବନ ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ଦର୍ଶାଇବା ସହ ଦୁଇରୁ ତିନିବର୍ଷ ମଧ୍ୟରେ ଏହାକୁ ଭାଙ୍ଗିବା ପାଇଁ ମତ ଦେଇଥିଲେ। ଏହାପରେ ଗତ ଅଗଷ୍ଟ ୨୮ ତାରିଖରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କୁ ଓଡିଶା ଭବନ ଲୋକଙ୍କ ରହିବା ପାଇଁ ଅସୁରକ୍ଷିତ ବୋଲି ଅବଗତ କରିଥିଲେ।ଏହା ଉପରେ ବିଚାର କରି ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବିଧବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡିଶା ଭବନକୁ ଯଥାଶୀଘ୍ର ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଗୃହବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।
ତେବେ ନୂତନ ଓଡିଶା ଭବନ ନିର୍ମାଣ ପର୍ଯ୍ୟନ୍ତ ଅଶୋକା ହୋଟେଲରେ ରହିବାର ସୁବିଧା କରିଛନ୍ତି ରାଜ୍ୟ ସରକାର। ଯେଉଁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କିମ୍ବା ରାଜନେତା ଦିଲ୍ଲୀ ଯିବେ ସେମାନେ ଅଶୋକା ହୋଟେଲରେ ରହି ପାରିବେ।