thelifelinemedia
Latest Odisha News, Breaking News Today

ପରିବାରର ଏକାଧିକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର: ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କୁହାଯାଉଥିଲା। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ପରିବାରରେ ଏକାଧିକ ମହିଳା ଥିଲେ ବି ଯଦି ସେମାନେ ନିର୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ଥିବେ ତେବେ ‘ସୁଭଦ୍ରା’ ଯୋଜନାରେ ନିଶ୍ଚିତ ସାମିଲ ହେବେ। ବିଧବା ମହିଳା, ଛାତ୍ରବୃତ୍ତି ପାଉଥିବା ଛାତ୍ରୀମାନେ ବି ଏହି ଯୋଜନାରେ ସାମିଲ୍ ହୋଇପାରିବେ।ଶ୍ରୀମତୀ ପରିଡ଼ା କହିଛନ୍ତି, ବିରୋଧୀ ସମାଲୋଚନା କରିବା କଥା ବୋଲି ‘ସୁଭଦ୍ରା’ ଯୋଜନାକୁ ସମାଲୋଚନା କରୁଛନ୍ତି। ବିଜେପି ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ମାସରେ ପୂରଣ କରିଦେଇଥିବାରୁ ବିରୋଧୀ ସହିପାରୁନାହାନ୍ତି। ସେମାନେ ଜାଣି ରଖିବା ଦରକାର ଯେ ସବୁ ଯୋଜନା କେତେକ ନିର୍ଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କ ପାଇଁ ଥାଏ। ସେହିପରି ୨୧ରୁ ୬୦ବର୍ଷ ମଧ୍ୟରେ ଥିବା ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ଏହି ଯୋଜନା। ‘ସୁଭଦ୍ରା’ ଯୋଜନା ମହିଳାଙ୍କୁ ସଶକ୍ତୀକରଣ କରିବନି, ଏହା ସଶକ୍ତୀକରଣରେ ସହାୟକ ହେବ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି, ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବା ଅବସରରେ ଉପମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ସରକାର ସମୟରେ ଏକର ଏକର ଜମିରେ ନିର୍ମାଣ ହୋଇଥିବା ପାନ୍ଥନିବାସ ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ମାତ୍ର କିଛି ଲକ୍ଷ ଟଙ୍କାରେ ଶାଗ, ମାଛ ଦରରେ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ସାରା ରାଜ୍ୟ ବୁଲି ପର୍ଯ୍ୟଟନ ବିଭାଗର ଅନୁଦାନରୁ ବିଭିନ୍ନ ମଠ, ମନ୍ଦିରକୁ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟିଛନ୍ତି। କାକଟପୁର ମଙ୍ଗଳାମନ୍ଦିର ନିକଟରେ ୯କୋଟି ଟଙ୍କାରେ ଏକ କୋଠା ନିର୍ମାଣ ହେଉଥିବାବେଳେ ଏଥିପାଇଁ ପର୍ଯ୍ୟଟନ ବିଭାଗ ଅର୍ଥ ଦେଇଛି ବୋଲି ଓବିସିସି କହୁଛି।

Leave A Reply

Your email address will not be published.