ୟୁପିରେ ପ୍ରଶ୍ନପତ୍ର ଲିକ ହେଲେ ଆଜୀବନ ଜେଲ

ବ୍ୟୁରୋ: ୟୁପିରେ ପ୍ରଶ୍ନପତ୍ର ଲିକ ହେଲେ ଆଜୀବନ ଜେଲ ହେବ। ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି।ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍ ହୋଇଥିଲା। ଏବେ NEET ଏବଂ UGC- NET ପେପର ଲିକ୍ ହେବା ପରେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ତେଣୁ ଏ ସବୁ ଘଟଣାକ୍ରମକୁ ଆଖି ଆଗରେ ରଖି ଯୋଗୀ ସରକାର ପ୍ରଶ୍ନପତ୍ର ରୋକିବାକୁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି।
ଦଣ୍ଡ ବିଧାନ ଅନୁସାରେ ମୋଟା ଅଙ୍କର ଜରିମାନା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଏବଂ ଏପରିକି ଜେଲ୍ ପାଇଁ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି।
ସାରା ଦେଶରେ ଏବେ ନିଟ, ୟୁଜିସି_ନେଟ ପ୍ରଶ୍ନପତ୍ର ମାମଲାରେ ସିବିଆଇର ଖୋଳତାଡ଼ ଜାରି ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଛନଭିନ ଚାଲିଛି। ୪ ରାଜ୍ୟରେ ୨୫ରୁ ଅଧିକ ଗିରଫ ହେଲେଣି। କିଛି ସଂଦିଗ୍ଧଙ୍କୁ ମଧ୍ୟ ପଚାରା ଉଚୁରା କରାଯାଉଛି। ନିଟ-ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖିବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ବରେ ପ୍ରଶ୍ନପତ୍ର ପାଇଁ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ମଧ୍ୟ ଦେଇଥିଲା। ଏତେ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନିୟମିତତାର ଅଭିଯୋଗ ଆସିଥିଲା।