ଟ୍ୱେଣ୍ଟି ବିଶ୍ଵକପ ଖେଳିବେନି ବିରାଟ, ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ଵକପ ଖେଳି ନ ପାରନ୍ତି ବିରାଟ ଖେଳାଳି। ଭାରତୀୟ କ୍ରିକେଟର ଦିଗଜ୍ ଖେଳାଳି କୋହଲି ଟି ଟ୍ୱେଣ୍ଟି ବିଶ୍ଵକପରୁ ବାଦ ପଡ଼ି ପାରନ୍ତି। ଯଦିଓ ଏ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ କିନ୍ତୁ ଜାତୀୟ ଗଣ ମାଧ୍ୟମରେ ଏହାକୁ ନେଇ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ପରେ କ୍ରିକେଟ୍ ପ୍ରେମୀଙ୍କ ମନ ଊଣା ହେଇଯାଇଛି।
ଦିନିକିଆ ବିଶ୍ୱକପ୍ ପରେ ଟିମରୁ ଦୂରରେ ଅଛନ୍ତି ବିରାଟ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାଗ ନେଇ ନଥିଲେ । ପରେ କିଛି ବ୍ୟକ୍ତିଗତ କାରଣ ପାଇଁ ଦଳରୁ ଦୂରେଇ ରହୁଛନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଲମ୍ବା ସମୟ ଧରି କ୍ରିକେଟରୁ ଦୂରେଇ ରହିବା ପରେ ଆଗକୁ ବିଶ୍ଵକପ ନ ଖେଳିବା ସମ୍ଭାବନାକୁ ଅଧିକ ବଢାଇ ଦେଇଛି। କିନ୍ତୁ ଏ ନେଇ ବିଧି ବଦ୍ଧ ଭାବେ କିଛି ଖବର ଆସିନାହିଁ। ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆ ଯାଇନି। ବିରାଟ କୋହଲିଙ୍କ ବିନା ଟିମ୍ ଯଦି ବିଶ୍ୱକପ ଖେଳେ, ତା ହେଲେ କୋହଲିଙ୍କ ଜାଗାରେ କିଏ ଖେଳିବେ। କୁହାଯାଉଛି ଅନେକ ଯୁବ ଖେଳାଳିଙ୍କୁ ଏଥର ବିଶ୍ଵକପରେ ସୁଯୋଗ ମିଳିପାରେ। ରିସଭ ପନ୍ଥ ସୁସ୍ଥ ହେଲେଣି। ଆଇପିଏଲ୍ ଖେଳିବେ ସେ। ଆଗକୁ ବିଶ୍ଵକପରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ ।
ବିରାଟଙ୍କ ଫିଟନେସ କୌଣସି ଯୁବ ଖେଳାଳିଙ୍କ ଠାରୁ କମ ନୁହେଁ। ବୟସ ବଢିଲେ ବି ଯୁବ ଖେଳାଳିଙ୍କୁ ଟକ୍କର ଦେଉଛନ୍ତି ବିରାଟ। ଦିନିକିଆ ବିଶ୍ୱକପରେ ବିରାଟଙ୍କ ଖେଳ ସାରା ଦୁନିଆ ଦେଖିଲା। ତେଣୁ ଆଗମୀ ଟି ଟ୍ୱେଣ୍ଟିରେ ତାଙ୍କୁ କ୍ରିକେଟ ପ୍ରେମୀ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ସବୁ କିଛି ନିର୍ଭର କରୁଛି ବିରାଟ ଓ ବିସିସିଆଇର ନିଷ୍ପତ୍ତି ଉପରେ।