ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ଦର୍ଶନ ପୁସ୍ତିକାରେ ନିଜ ମନର କଥା ଲେଖିଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୦/୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ପୁରୀ ଯାଇଥିଲେ । ସାଢ଼େ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଯାଇଥିଲେ । କିନ୍ତୁ ମହାମହିମ କାର୍କେଡ୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ୨ କିମି ଚାଲିଚାଲି ଶ୍ରୀମନ୍ଦିର ନିକଟକୁ ଯାଇଥିଲେ । ଯାହାକୁ ଦେଖି ପୁରୀବାସୀ ଭାବବିହ୍ୱଳ ହୋଇଯାଇଥିଲେ ।
ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିରର ଦର୍ଶନ ପୁସ୍ତିକାରେ ରାଷ୍ଟ୍ରପତି ଏକ ଚିଠି ଲେଖି ରଖିଥିଲେ । ଯେଉଁଥିରେ ଭାବବିହ୍ୱଳ ହୋଇ ସେ ଲେଖିଛନ୍ତି ଯେ, “ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂରତି ଏବଂ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣୀପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛିି । ମହାପ୍ରଭୁ ଆଦିବାସୀମାନଙ୍କର ଦାରୁ ଦେବତା ଏବଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଠାକୁର । ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ, ଏହା ମୋର କାମନା” ।