କାର ଭିତରୁ ୯ କୋଟିର ସୁନା ବିସ୍କୁଟ ଜବତ; ୨ ଗିରଫ: ତଦନ୍ତକାରୀ ସଂସ୍ଥାର ଛାନଭିନ ଜାରି
ଗୁପ୍ତ ଚାମ୍ବରରୁ ଭିତରୁ ତିନୋଟି ପ୍ୟାକେଟ୍ରେ ରଖାଯାଇଥିବା ୨୪ କ୍ୟାରେଟ୍ ତଥା ୯୯୯ ଶୁଦ୍ଧତାର ବିଦେଶୀ ସୁନା ଜବତ କରାଯାଇଛି
ବ୍ୟୁରୋ: ବିଶାଖାପାଟଣାରେ ୮.୯୮ କୋଟି ଟଙ୍କାର ସୁନା ବିସ୍କୁଟ ଜବତ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ସୁନା।ଦୀର୍ଘ ସମୟ ଧରି ପିଛା କରିବା ପରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାରକୁ ବିଶାଖାପାଟଣାରେ ଅଟକାଇଥିଲେ DRI ଅଧିକାରୀ
ସୂଚନା ଅନୁସାରେ, ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ । ଦୀର୍ଘ ସମୟ ଧରି ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହା ପରେ ଗାଡ଼ିଟିକୁ ଭଲ ଭାବରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସାମ୍ନା ସହଯାତ୍ରୀଙ୍କ ସିଟ୍ ତଳେ ଥିବା ଗୋଡ଼ ରଖିବା ସ୍ଥାନରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁପ୍ତ ଚାମ୍ବର ଠାବ କରାଯାଇଥିଲା। ଏହି ଗୁପ୍ତ ଚାମ୍ବରରୁ ଭିତରୁ ତିନୋଟି ପ୍ୟାକେଟ୍ରେ ରଖାଯାଇଥିବା ୨୪ କ୍ୟାରେଟ୍ ତଥା ୯୯୯ ଶୁଦ୍ଧତାର ବିଦେଶୀ ସୁନା ଜବତ କରାଯାଇଛି ।
ଜବତ ସୁନାର ମୋଟ ଓଜନ ୫,୮୩୨.୯୦ ଗ୍ରାମ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୮.୯୮ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ କରାଯାଉଥିଲା । ଏହାକୁ ହାଇଦ୍ରାବାଦ ନିଆଯାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ ସ୍ୱୀକାର କରିଥିବା ସୂଚନା ମିଳିଛି ।