thelifelinemedia
Latest Odisha News, Breaking News Today

୨୦୨୭ ଯୁକ୍ତ ଦୁଇ ପରୀକ୍ଷା ପାଇଁ CCTV ବ୍ୟବସ୍ଥା ବାଧ୍ୟତାମୂଳକ; ନଭେମ୍ବର ୩୦ ସୁଦ୍ଧା ସ୍ଥାପନ ଓ ଅପଡେଟ୍ ନିର୍ଦ୍ଦେଶ: ଅବହେଳା କଲେ ବାତିଲ ହୋଇପାରେ ପରୀକ୍ଷା କେନ୍ଦ୍ରର ସ୍ୱୀକୃତି

ପ୍ରଶ୍ନପତ୍ର ରଖାଯାଉଥିବା EMHର ସୁରକ୍ଷିତ କକ୍ଷ (ଷ୍ଟ୍ରଙ୍ଗ୍‌ ରୁମ୍‌), ପରୀକ୍ଷା ହଲ୍‌ ଓ କକ୍ଷ, କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ସ୍ୱୟଂ-ଅର୍ଥପୋଷିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାଗାରଗୁଡ଼ିକରେ CCTV କ୍ୟାମେରା ଲଗାଇବା ସହ ସେଗୁଡ଼ିକର କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବାକୁ ପଡ଼ିବ

ଭୁବନେଶ୍ୱର: ୨୦୨୭ ମସିହାର ବାର୍ଷିକ ଯୁକ୍ତ ଦୁଇ (ଉଚ୍ଚ ମାଧ୍ୟମିକ) ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ CCTV ନିରୀକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଏନେଇ ପରିଷଦ ପକ୍ଷରୁ ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ ଓ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏବଂ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ନଭେମ୍ବର ୩୦, ୨୦୨୬ ସୁଦ୍ଧା ସମସ୍ତ ଆବଶ୍ୟକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।

ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଶ୍ନପତ୍ର ରଖାଯାଉଥିବା EMHର ସୁରକ୍ଷିତ କକ୍ଷ (ଷ୍ଟ୍ରଙ୍ଗ୍‌ ରୁମ୍‌), ପରୀକ୍ଷା ହଲ୍‌ ଓ କକ୍ଷ, କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ସ୍ୱୟଂ-ଅର୍ଥପୋଷିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାଗାରଗୁଡ଼ିକରେ CCTV କ୍ୟାମେରା ଲଗାଇବା ସହ ସେଗୁଡ଼ିକର କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବାକୁ ପଡ଼ିବ। କ୍ୟାମେରାଗୁଡ଼ିକ ଏପରି ଭାବେ ସ୍ଥାପନ କରାଯିବ, ଯାହାଦ୍ୱାରା ସମ୍ପୃକ୍ତ ସ୍ଥାନର ସମସ୍ତ କାର୍ଯ୍ୟକଳାପ ସ୍ପଷ୍ଟ ଭାବେ ଦେଖାଯିବ ଓ ରେକର୍ଡ ହୋଇପାରିବ।

କେବଳ CCTV କ୍ୟାମେରା ସ୍ଥାପନ ନୁହେଁ, ଏହି ସମସ୍ତ ସ୍ଥାନର କାର୍ଯ୍ୟକଳାପର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) ବ୍ୟବସ୍ଥା ମଧ୍ୟ କରିବାକୁ ହେବ। ଏହା ମାଧ୍ୟମରେ CHSE, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସମ୍ପୃକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇପାରିବ।

ପୂର୍ବରୁ CCTV ବ୍ୟବସ୍ଥା ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ କ୍ୟାମେରାଗୁଡ଼ିକର ସ୍ଥିତି ଯାଞ୍ଚ କରିବା ସହ ସଠିକ୍‌ ତାରିଖ ଓ ସମୟ ସେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଆସିବା ଦିନଠାରୁ ଏବଂ ପରୀକ୍ଷାର ପ୍ରଥମ ଦିନରୁ କ୍ୟାମେରାଗୁଡ଼ିକ ଯେପରି ସଠିକ୍‌ ଭାବେ କାମ କରିବ, ସେଥିପାଇଁ ପୂର୍ବରୁ ପରୀକ୍ଷଣ କରି ପ୍ରସ୍ତୁତ ରଖିବାକୁ କୁହାଯାଇଛି।

Leave A Reply

Your email address will not be published.