ଅଷ୍ଟ୍ରେଲିଆରେ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗ ଉଠାଇଲେ ମୋଦୀ, ଅପରେସନ ସିନ୍ଦୂର ପ୍ରତ୍ୟେକ ଭାରତୀୟଙ୍କୁ କରିଛି ଗର୍ବିତ
ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ ଉପରେ ଯେଉଁ ସାଙ୍ଘାତିକ ବିସ୍ଫୋରଣ କରାଯାଇଥିଲା, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟ ଏବେ ବୈଶ୍ବିକ ସ୍ୱୀକୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସ୍ଥିତ ମାର୍ଭେଲ ଷ୍ଟାଡିୟମଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ହୋଇଥିବା ବିସ୍ଫୋରଣର ଶବ୍ଦ ସମଗ୍ର ବିଶ୍ବ ଶୁଣିଛି ଏବଂ ଏହା ଭାରତର ସାମରିକ ଶକ୍ତି ତଥା ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱସନୀୟତାକୁ ପ୍ରମାଣିତ କରିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଭାରତ ଆତଙ୍କବାଦର ଦୃଢ଼ ଜବାବ ଦେବ ବୋଲି ଏହି ଅପରେସନ ମାଧ୍ୟମରେ ବିଶ୍ବକୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା। ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ ଉପରେ ଯେଉଁ ସାଙ୍ଘାତିକ ବିସ୍ଫୋରଣ କରାଯାଇଥିଲା, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ଉପସ୍ଥିତ ଜନସାଧାରଣ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ।