କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର:ରାସ୍ତାରେ ରହିଗଲା ୧୦୮ ଆମ୍ବୁଲାନ୍ସ,ଚିକିତ୍ସା ନପାଇ ଶିଶୁକନ୍ୟାଙ୍କ ଜୀବନ ଗଲା
ଠିକଣା ସମୟରେ ଚିକିତ୍ସା ମିଳିନପାରିବାରୁ ଆମ୍ବୁଲାନ୍ସରେଥିବା ଅସୁସ୍ଥ ନାବାଳିକାଙ୍କ ମୃତ୍ୟୁ ଘଟିଛି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ରାସ୍ତା ଉପରେ ଚକା ପମ୍ପ୍ଚେର୍ ହୋଇଯିବାରୁ ପ୍ରାୟ ୩ ଘଣ୍ଟା ଧରି ଅଟକିଲା ୧୦୮ ଆମ୍ବୁଲାନ୍ସ। ଠିକଣା ସମୟରେ ଚିକିତ୍ସା ମିଳିନପାରିବାରୁ ଆମ୍ବୁଲାନ୍ସରେଥିବା ଅସୁସ୍ଥ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନର୍ଲା ବ୍ଲକ୍ ତୁଳାପଡ଼ା ଗାଁର ରିୟା ନାୟକ (୧୧)ଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଶେଷରେ ଆଜି ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ସେଠାରେ ରିୟାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ଗୋହିରାପଦର ରେଳଫାଟକ ନିକଟରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇଯାଇଥିଲା। ତେବେ ଆମ୍ବୁଲାନ୍ସରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ନିମନ୍ତେ ରଖାଯାଇଥିବା ଅତିରିକ୍ତ ଚକଟି ମଧ୍ୟ ଖରାପ ହୋଇରହିଥିଲା।
ଆମ୍ବୁଲାନ୍ସ ଚାଳକ ଅନ୍ୟ ଏକ ଆମ୍ବୁଲାନ୍ସକୁ ସହାୟତା ପାଇଁ କହିଥିଲେ। ସେହି ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୩ ଘଣ୍ଟା ଅତିବାହିତ ହୋଇଯାଇଥିଲା। ବିକଳ୍ପ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ଜଣକ ରାସ୍ତା ଉପରେ ୩ ଘଣ୍ଟା କାଳ ଅଟକି ରହି ମୃତ୍ୟୁ ସହ ସଂଗ୍ରାମ କରିଥିଲେ। ବିଳମ୍ବରେ ଯେତେବେଳେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଗଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।