thelifelinemedia
Latest Odisha News, Breaking News Today

ରାଜଧାନୀରେ ପୁଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ: ବାପା, ଭଉଣୀ ଆଗରେ ଯୁବକଙ୍କୁ ଛୁରୀଭୁସି ମାରିଦେଲେ, ପୋଲିସର ତନାଘନା ଜାରି

ବାପା ଓ ଭଉଣୀଙ୍କ ଆଖି ଆଗରେ ଲୁହାଛଡ଼ରେ ପିଟି ଲହୁଲୁହାଣ କରିବା ସହ ଛୁରୀ ଭୁସି ବୀଭତ୍ସ ଭାବେ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଯୁକ୍ତ ତିନି କଳା ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ବାପା ଓ ଭଉଣୀଙ୍କ ଆଖି ଆଗରେ ଲୁହାଛଡ଼ରେ ପିଟି ଲହୁଲୁହାଣ କରିବା ସହ ଛୁରୀ ଭୁସି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଗଞ୍ଜାମ ସୋରଡ଼ା ଅଞ୍ଚଳର ହିମାଂଶୁ ପାଢ଼ୀଙ୍କ ପୁଅ କୃଷ୍ଣ ପାଢ଼ୀ(୨୦)। କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇ ବାପା ହିମାଂଶୁ ଓ ଭଉଣୀ ତାପସୀ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ଏବଂ ସେମାନେ ଏବେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବାପା ହିମାଂଶୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଭୁବନେଶ୍ବର ଡିସିପି ଜଗମୋହନ ମୀନା, ଏସିପି ପ୍ରଶାନ୍ତ କୁମାର ସାହୁ ଓ ଖଣ୍ଡଗିରି ଥାନା ଆଇଆଇସି ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ରକ୍ତଭିଜା ଲୁହାଛଡ଼ ଜବତ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି।

Leave A Reply

Your email address will not be published.