ଓଡିଶା ଆସିବେ ଜାପାନ ସରକାରଙ୍କ ୧୦୦ ଜଣ ପ୍ରତିନିଧି ଦଳ
ଭୁବନେଶ୍ୱର: ଜାପାନ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ ଜାପାନର ଟଟୋରୀ ପ୍ରଦେଶର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ଟଟୋରୀ ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ସାମିଲ ହେବେ।ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବ।
ବିଶେଷ କରି ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ, ନିଯୁକ୍ତି ଏବଂ ବୈଷୟିକ ସହଯୋଗ ଭଳି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବା ନେଇ ଆଶା କରାଯାଉଛି।ଏହି ଗସ୍ତ ଦ୍ୱାରା ଓଡ଼ିଶାକୁ ଜାପାନୀ ନିବେଶ ଆକର୍ଷିତ କରିବା ସହ ଦୁଇ ପକ୍ଷଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଓ ସହଭାଗିତାକୁ ନୂଆ ଦିଗ ମିଳିପାରେ। ଏହି ଗସ୍ତ ପରେ ଓଡିଶା-ଜାପାନ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଇଛି। ଟଟୋରୀ ସରକାରଙ୍କ ଭାରତୀୟ ବ୍ୟବସାୟ ପରାମର୍ଶଦାତା କୁନା ଦାଶ ବି ଏହି ଗସ୍ତରେ ରହିଛନ୍ତି। ଏହି ଗସ୍ତ ଉଭୟ ଦେଶର ପର୍ଯ୍ୟଟନ ଶିଳ୍ପକୁ ଏକ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କୁନା ଦାଶ କହିଛନ୍ତି। ତେବେ ଓଡିଶାରେ ଥିବା ବୌଦ୍ଧ କୀର୍ତ୍ତିରାଜି ଜାପାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଏଥିପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।