ସମ୍ବଲପୁରରେ ଫିଫା ମାନର ଆଧୁନିକ ପଡ଼ିଆ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ
ଫୁଟବଲ କ୍ରୀଡ଼ାର ବିକାଶ ପ୍ରତି ଏକାଡେମୀର ଏହି ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଡେମୀ ଉପରେ ଆଉ ଏକ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି
ସମ୍ବଲପୁର:ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀର ସୁଦୃଢ଼ ଯାତ୍ରାକୁ ଆହୁରି ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତରେ ଯାଇ ଏହି ଏକାଡେମୀ ପରିଦର୍ଶନ କରି ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ ୧୫ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ ଆନ୍ତର୍ଜାତୀୟ ମାନର ୩ଟି FIFA ଷ୍ଟାଣ୍ଡାର୍ଡ ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ ଏବଂ ୨ଟି ଅତ୍ୟାଧୁନିକ ଫୁଟ୍ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଫୁଟବଲ କ୍ରୀଡ଼ାର ବିକାଶ ପ୍ରତି ଏକାଡେମୀର ଏହି ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଡେମୀ ଉପରେ ଆଉ ଏକ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଣିକି ପ୍ରତିବର୍ଷ ଆୟୋଜିତ ହେଉଥିବା ‘C.M. Cup’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରୁ ତୃଣମୂଳ ସ୍ତରରେ ମନୋନୀତ ହେଉଥିବା ୧୪ ବର୍ଷରୁ କମ୍ ବୟସର ୩୦ ଜଣ ପ୍ରତିଭାବାନ ପିଲାଙ୍କୁ ଉଚ୍ଚକୋଟୀର ଆବାସିକ ତାଲିମ ଦେବାର ଦାୟିତ୍ୱ ଏହି ଏକାଡେମୀକୁ ଦିଆଯାଇଛି। ତାଲିମ ଗ୍ରହଣ କରୁଥିବା ଏହି ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ନିକଟସ୍ଥ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ଗ୍ରହଣର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।