thelifelinemedia
Latest Odisha News, Breaking News Today

ସରକାରଙ୍କ ଚରମ ଅବହେଳାରୁ ଚାଲିଗଲା ଦଳିତ ଯୁବକଙ୍କ ଜୀବନ: ବିଜେଡି

ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ବିଜେପି ସରକାର ସାଧାରଣ ଜନତାଙ୍କ ସମସ୍ୟା ପ୍ରତି କିଭଳି ଆଖି ବୁଜି ଦେଇଛନ୍ତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ଜଣେ ଦଳିତ ଯୁବକଙ୍କ ଆତ୍ମହତ୍ୟା ଘଟଣା ସରକାର ଓ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନ୍ୟାୟ ନ ମିଳିବାରୁ ଶ୍ରୀଚନ୍ଦନ ଦାସ ନାମକ ଜଣେ ଦଳିତ ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରିବା ଦୁର୍ଭାଗ୍ୟଜନକ।

ଶ୍ରୀ ବେହେରା କହିଥିଲେ, ସ୍ପଷ୍ଟ ଦିବାଲୋକରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଏଭଳି ଅଘଟଣ ଘଟିବା ସରକାରଙ୍କ ସମ୍ବେଦନହୀନତାର ପରିଚୟ। ମୃତ ଯୁବକ ଜଣକ ନିଜର ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଲା ପରେ ଏଭଳି ଚରମ ପଦକ୍ଷେପ ନେଲେ। ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ବିଜେପି ସରକାର ସାଧାରଣ ଜନତାଙ୍କ ସମସ୍ୟା ପ୍ରତି କିଭଳି ଆଖି ବୁଜି ଦେଇଛନ୍ତି, ତାହା ଗତକାଲିର ଘଟଣାରୁ ପ୍ରମାଣିତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଜଣେ ଯୁବକ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କେହି କେମିତି ଜାଣିପାରିଲେ ନାହିଁ, ତାହା ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.