ମୋବାଇଲ ଫୋନକୁ ହଠାତ୍ ଆସିଲା ଆଲର୍ଟ: ସ୍କ୍ରିନ୍ ଉପରେ ଲେଖାଥିଲା, ଭୟଭୀତ ହୁଅନ୍ତୁନି,ଜରୁରୀକାଳୀନ ସତର୍କତା ବ୍ୟବସ୍ଥା ପାଇଁ ପରୀକ୍ଷଣର ଏକ ଅଂଶ
OKକୁ ନଦବାଇବା ଯାଏଁ ଥରାଇଲା ଯିଏ ବୁଝିଲେ ତ OK ବଟନକୁ ହଠାତ୍ ଦବାଇଦେଲେ।ଯିଏ ନବୁଝିଲେ ସିଏ ଖାଲି ୟାକୁ ତାକୁ ପଚାରିଲେ
ନୂଆଦିଲ୍ଲୀ: ମୋବାଇଲ ଫୋନକୁ ହଠାତ୍ ଆସିଲା ଆଲର୍ଟ ମେସେଜ। ବାଜି ଉଠିଲା ଫୋନ୍। ଆଲର୍ଟ ମେସେଜରେ କମ୍ପିଲା ପଲ୍ଲୀରୁ ଦିଲ୍ଲୀ। ଆଜି ମଧ୍ୟାହ୍ନରେ ଦେଶବ୍ୟାପି କମ୍ପିଲା ସମସ୍ତଙ୍କ ମୋବାଇଲ ଫୋନ୍। ଜୋରରେ ଅଜବ ସାଉଣ୍ଡ ହେବା ସହ ଭାଇବ୍ରେସନ୍ ହୋଇଥିଲା। OKକୁ ନଦବାଇବା ଯାଏଁ ଥରାଇଲା ଯିଏ ବୁଝିଲେ ତ OK ବଟନକୁ ହଠାତ୍ ଦବାଇଦେଲେ।ଯିଏ ନବୁଝିଲେ ସିଏ ଖାଲି ୟାକୁ ତାକୁ ପଚାରିଲେ।ସେତିକି ବେଳକୁ ସ୍କ୍ରିନ୍ ଉପରେ ଲେଖାଥିଲା, ଭୟଭୀତ ହୁଅନ୍ତୁନି। ଏହା ଜରୁରୀକାଳୀନ ସତର୍କତା ବ୍ୟବସ୍ଥା ପାଇଁ ପରୀକ୍ଷଣର ଏକ ଅଂଶ।
ସ୍କ୍ରିନ୍ ଉପରେ ଡିସପ୍ଲେ ହୋଇଥିଲା ଗୃହ ମନ୍ତ୍ରାଳୟର ଏକ ମେସେଜ୍। ଯେଉଁଥିରେ ଇଂରାଜୀ, ହିନ୍ଦି, ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଲେଖାଥିଲା, ଭାରତୀୟ ନାଗରିକଙ୍କୁ କୌଣସି ଏକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତି ବିଦ୍ୟା ଦ୍ବାରା ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା। ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ। କିନ୍ତୁ ଏଭଳି ଆଲର୍ଟ ସିଷ୍ଟମକୁ ନେଇ ଆଜି ଚହଳ ପଡ଼ିଥିଲା ସବୁଠି। ତେବେ ଏହି ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ୍ ବୋଲି ଜଣାପଡ଼ିଛି ଏହି ସିଷ୍ଟମ ଦ୍ବାରା ମୋବାଇଲ୍ ଫୋନରେ ରିୟଲ୍-ଟାଇମ୍ ଇମର୍ଜେନସୀ ଆଲର୍ଟ କରାଯାଇଥାଏ। ସାରା ଦେଶ ପାଇଁ ପ୍ରସ୍ତୁତ ସମନ୍ୱିତ ଆଲର୍ଟ ସିଷ୍ଟମ୍ ବା ‘ସଚେତ୍’ ହେଉଛି ଏହାର ଏକ ପ୍ରମୁଖ ଅଂଶ। ମୋବାଇଲ୍ ଫୋନ୍ ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ବାଜିଉଠିବ, ସତର୍କ କରାଇବ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା, ଭୂମିକମ୍ପ, ସୁନାମି, ବାତ୍ୟା, ବନ୍ୟା ଭଳି ସମୟରେ ଲୋକଙ୍କୁ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବା ଏବଂ ଧନଜୀବନକୁ ସୁରକ୍ଷା ଦେବା।