ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ: ଘରେ ଘରେ ପଣାର ଆସର: ସାରା ରାଜ୍ୟ ଉତ୍ସବ ମୁଖର
ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି
ଭୁବନେଶ୍ୱର:ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଶା ପରମ୍ପରା ଅନୁସାରେ ଆଜିଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହେଉଛି। ଏହା ବ୍ୟତୀତ ଆଜି ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନା ଅନୁସାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ‘ହନୁମାନ ଜୟନ୍ତୀ’ ଭାବେ ପାଳନ କରନ୍ତି । ଭକ୍ତମାନେ ହନୁମାନଙ୍କୁ ଶକ୍ତି ଓ ସାହସର ପ୍ରତୀକ ଭାବେ ପୂଜା କରି ନୂତନ ବର୍ଷର ଶୁଭକାମନା କରନ୍ତି ।ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ।