ବିଜେଡ଼ି ପରାଜୟ ପଛରେ ନବୀନଙ୍କ ବିମାନବନ୍ଦର ଭିଡ଼ିଓକୁ ନେଇ ଚର୍ଚ୍ଚା!
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନରେ ବିଜେଡ଼ିର ପରାଜୟ ହୋଇଛି। ଦଳ ଏକ ନମ୍ବରରୁ ଖସି ଆସି ତୃତୀୟ ନମ୍ବରରେ ପହଞ୍ଚିଛି। ତେବେ ବିଜେଡି ପରାଜୟ ପଛରେ ଅନେକ କାରଣ ରହିଥିବା ବେଳେ ଆଉ ଏକ ପ୍ରମୁଖ କାରଣ ହେଉଛି ନବୀନ ବିମାନ ବନ୍ଦରର ଭିଡ଼ିଓ।
ନୂଆପଡା ନିର୍ବାଚନକୁ ନବୀନ ଯେତେବେଳେ ଓହ୍ଲାଇଥିଲେ ସେତେବେଳେ ତାଙ୍କ ପ୍ରଚାର ଭିଡିଓ ଯେତେ ଭାଇରାଲ ହୋଇନଥିଲା ସେତେ ଅଧିକ ଭାଇରାଲ ହୋଇଥିଲା ନବୀନଙ୍କ ବିମାନବନ୍ଦର ଭିଡିଓ । ଯେଉଁଠି ନବୀନ ଧିରେଧିରେ ଚାଲିଚାଲି ଯାଉଥିଲେ । ଦୁଇ ଅଙ୍ଗରକ୍ଷୀଙ୍କ ସାହାଯ୍ୟରେ ଧିରେଧିରେ ଯାଉ ଯାଉ ମଝିରେ ମଝିରେ ରହି ବି ଯାଉଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ନବୀନଙ୍କୁ ଏ ବୟସରେ ବିଶ୍ରାମ ନଦେଇ ପ୍ରଚାର ପାଇଁ କାହିଁକି ଦଳ ନେଉଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତା ସହ ଅନେକ ଲୋକ ନବୀନଙ୍କୁ ସମ୍ମାନ ଜଣାଇ ବିଜେଡିର ନେତାଙ୍କ ଚାଲକୁ ବିରୋଧ କରିଥିଲେ । ବୋଧହୁଏ ସେହି ଭିଡିଓ ଏବଂ ନବୀନଙ୍କୁ ବିଶ୍ରାମ ନଦେଇ ଏ ଅବସ୍ଥାରେ ପ୍ରଚାରକୁ ନେଇଥିବା ଦଳକୁ ଲୋକେ ବିରୋଧ କରି ହରାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।
ବିଜେଡି ହାରିବା ପରେ ନବୀନଙ୍କ ଲୋକପ୍ରିୟତା କମିଛି ବୋଲି ରାଜନୀତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି। କହିଛନ୍ତି ଯେଉଁ ବୟସରେ ନବୀନଙ୍କୁ ବିଶ୍ରାମ ଦରକାର ସେହି ବୟସରେ ତାଙ୍କୁ ଦଳ ପ୍ରଚାରରେ ନିୟୋଜିତ କରିବା ଦଳ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇଛି।