ଏଥର ଥରାଇବ ଶୀତ
ଭୁବନେଶ୍ୱର: ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ରବିବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି ।
ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ ଶନିବାର ୧୯ ଡିଗ୍ରୀ ଥିବାବେଳେ ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି ।
ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି। ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା ୨୧.୮ ଡିଗ୍ରୀକୁ ଖସିଥିଲା । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୫.୮ ଡିଗ୍ରୀ ରହିଥିଲା ।