ଓଡ଼ିଶାରୁ ବିଦାୟ ନେବ ମୌସୁମି, ୧୫ ରୁ ଶୀତ ଆରମ୍ଭ
ଭୁବନେଶ୍ୱର: ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ରାଜ୍ୟର କିଛି ସ୍ଥାନରୁ ମୌସୁମୀ ବିଦାୟ ନେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘୁଆ ପାଗ ସହ କିଛି ସ୍ଥାନରେ ଲାଗିରହିଛି ବର୍ଷା ।
ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ଜନିତ ବର୍ଷା ହେବ । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କାଁ ଭାଁ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ।
ଖୁବଶୀଘ୍ର ରାଜ୍ୟକୁ ଶୀତ ଛୁଇଁବ । ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି ।