thelifelinemedia
Latest Odisha News, Breaking News Today

ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ ବୟସସୀମା ୬ ବର୍ଷ କୋହଳ:ନିର୍ଦ୍ଦେଶ ଦେଲେ ହାଇକୋର୍ଟ 

କଟକ: ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ହେବ। ଏମିତି ନିର୍ଦ୍ଧେଶ ଦେଲେ ଓଡିଶା ହାଇକୋର୍ଟ। ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ।

ଖୁବ ଶୀଘ୍ର ଏ ସଂପର୍କରେ ଓଡ଼ିଶା ପୋଲିସ ସିଲେକ୍ସନ୍‌ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ ଏବଂ ଅନ୍‌ଲାଇନ୍‌ରେ କିପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିପାରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ। କରୋନା ମହାମାରୀ ପାଇଁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହି ଥିବାରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଉପୀଠ ବିଶ୍ଵେଶ୍ଵର ବିଶ୍ଵାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ୪୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ରାଜ୍ୟରେ ୧୩୬୦ଟି ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି୧ ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିଲା। ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିଲା। ଅନ୍ୟପକ୍ଷରେ ଶେଷଥର ୨୦୧୮ରେ ଓଡ଼ିଶା ପୋଲିସରେ ସିପାହି କନେଷ୍ଟବଳ ପଦ ପୂରଣ ପାଇଁ ନିଯୁତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଅଶାୟୀ ପ୍ରାର୍ଥୀ ଦାବି କରିଥିଲେ।

Leave A Reply

Your email address will not be published.