ବଡମ୍ବାରେ ଛିଣ୍ଡୁଛି ବିଜେଡି, ବଢୁଛି ବିଜେପି: ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଶଙ୍ଖ ଛାଡି ପଦ୍ମ ଧରିଲେ

ଭୁବନେଶ୍ୱର: ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଆଜି ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ତାଙ୍କ ସମର୍ଥକ ସହ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ବଡ଼ମ୍ବା ବିଧାୟକ ବିଜୟ ଦଳ ବେହେରା ନେତୃତ୍ୱରେ ମାଣିଆବନ୍ଧ ୩୧ନଂ.ଜୋନ୍ ଜିଲା ପରିଷଦ ସଭ୍ୟ ନୟନା ସାହୁଙ୍କ ସମେତ ବଡମ୍ବା ବ୍ଲକରୁ ୨୪ ଜଣ ସମିତି ସଭ୍ୟ, ୧୧ ଜଣ ସରପଂଚ ଏବଂ ନରସିଂହପୁର ବ୍ଲକର ୯ ଜଣ ସରପଂଚଙ୍କ ସମେତ ବଡମ୍ବା ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ବିଜେପିରେ ସାମିଲ ହୋଇଥିବା ନୂତନ କର୍ମକର୍ତାମାନେ ବିଜେଡ଼ି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଫଳରେ ତାଙ୍କୁ ବଡ଼ ଝଟକା ଲାଗିଛି । ଏହି ଅବସରରେ ବିଧାୟକ ବିଜୟ କୁମାର ଦଳବେହେରା ବିଜେଡିର ପୂର୍ବତନ ବିଧାୟକ ମିଶ୍ରଙ୍କ ଉପରେ ବର୍ଷିଥିଲେ ।କହିଛନ୍ତି ଦେବୀ ମିଶ୍ର ଯାହା ଭୁଲ କରିଛନ୍ତି ତାହାର ଫଳ ପାଇଛନ୍ତି । ଏବେ ସେ ପ୍ରାୟଶ୍ଚିତ କରିବା ଆବଶ୍ୟକ ବୋଲି ବିଜୟ ଦଳବେହେରା କହିଥିଲେ ।