୫୦ ଛୁଇଁଲା ଆଳୁ : ବଜାରରେ ଆଳୁ ଗାଏବ, ଯେଉଁଠି ମିଳୁଛି ସେଇଠି ଚଢା ଦର

ଭୁବନେଶ୍ୱର:ରାଜ୍ୟରେ ବଢିଚାଲିଛି ଆଳୁ ଦର। କିଲୋ ଛୁଇଁଲାଣି ୫୦। ବିଭିନ୍ନ ଜାଗାରେ କୃତ୍ରିମ ଅଭାବ ଦେଖା ଦେଲାଣି। କଳା ବଜାରୀ ମଧ୍ୟ ଦେଖା ଦେଲାଣି। ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଓଡିଶା ବଜାରରୁ ଆଳୁ ହେଉଛି ଉଭାନ। ଆଜି ଦର ଉପରେ ନଜର ପକାଇଲେ ଖୁଚୁରା ବ୍ୟବସାୟୀ ଆଳୁ କିଲୋ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ଆଳୁ । ଯାହା ଗତକାଲି ଥିଲା ୪୦ରୁ ୪୫ ଟଙ୍କା। ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି। ତିନି ଦିନ ପୂର୍ବରୁ ଦର ୩୫ ଟଙ୍କା ଥିଲା ବେଳେ ଏଵେ ୫୦ ଟଙ୍କାରେ ବିକ୍ରି ହେଉଛି। ଲୋକେ ଆଳୁ ଦରକୁ ନେଇ ଅସନ୍ତୋଷ ହେଲେଣି। ଆଳୁ ଏପରି ଏକ ପରିବା ଯାହା ପ୍ରତିଦିନ ଆବଶ୍ୟକ। ରୋଷେଇ ଘରେ କିଛି ପରିବା ଥାଉ ଆଳୁ ରହିବା ନିହାତି ଦରକାର। ତେଣୁ ଆଲୁ ଦର ବଢିବା ପରେ ଏବେ ଉଭୟ ଖାଉଟି ଓ ବ୍ୟବସାୟୀ ଚିନ୍ତାରେ। କଟକ ଛତ୍ରବଜାର ଓ କୃଷକ ବଜାର ରେ ଆଳୁ କିଲୋ ୫୦ ଟଙ୍କା ରେ ବିକ୍ରି ହେଉଛି । ଆଳୁ ଧଡା ବା ତିନି କିଲୋ କୁ ୧୪୦ ଟଙ୍କା ରହିଛି।
ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଓଡିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ମଗାଯାଉଛି। ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଆଳୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଯାଉଛି ବୋଲି ବ୍ୟବସାୟୀ ଓ ଗ୍ରାହକ କହିଛନ୍ତି।