ବିଜେଡି ଛାଡିଲେ ବରୀ ପୂର୍ବତନ ବିଧାୟିକା ସୁନନ୍ଦା ଦାସ: ଦଳରେ ଥିଲେ ଅଲୋଡ଼ା, ପ୍ରାଥମିକ ପଦରୁ ଇସ୍ତଫା

ଯାଜପୁର: ହାରିବା ପରେ ବିଜେଡି ଶିବିରରେ ହଳଚଲ ଲାଗିରହିଛି। କେତେବେଳେ ନେତା ଦଳ ଛାଡ଼ୁଛନ୍ତି ତ ପୁଣି କେତେବେଳେ ବିଜେଡି ବିରୁଦ୍ଧରେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ଯାଜପୁର ବିଜେଡି ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିକୁ ବାଏ ବାଏ କରିଛନ୍ତି। ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ଯାଉନଥିଲା। ଅଣଦେଖା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରା ଯାଉନଥିଲା। ତେଣୁ କ୍ଷୋଭ ପ୍ରକାଶ କରି ସେ ଦଳ ଛାଡିଥିବା ସୁନନ୍ଦା ଦାସ କହିଛନ୍ତି।
୨୦୨୪ ନିର୍ବାଚନରେ ବିଜେଡି ସୁନନ୍ଦା ଦାସଙ୍କୁ ଟିକେଟ ଦେଇନଥିଲା।୨୦୨୪ ନିର୍ବାଚନରେ ବରୀ ବିଧାନସଭା ଆସନରେ ବିଜେଡି ବିଶ୍ୱ ରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ବିଶ୍ଵ ରଞ୍ଜନ ୫୧ ହଜାର ୪୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସୁନନ୍ଦା ଦାସ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ପାଇ ମାତ୍ର ୪୦୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ବିଶ୍ଵ ରଞ୍ଜନ ମଲ୍ଲିକ ୨୦୧୯ ନିର୍ବାଚନରେ ବିଜେପିରୁ ଏବଂ ୨୦୨୪ ନିର୍ବାଚନରେ ବିଜେଡିରୁ ଲଢିଥିଲେ। ଏଥର ବିଜେଡି ବିଧାୟକଙ୍କ ମଧ୍ୟରୁ ସବୁଠୁ ବଡ଼ ମାର୍ଜିନରେ ବିଜୟୀ ହୋଇଥିଲେ ବିଶ୍ଵ ରଞ୍ଜନ ମଲ୍ଲିକ। ଏଭଳିସ୍ଥିତିରେ ସୁନନ୍ଦା ଏବେ ବିଜେଡି ଛାଡିଛନ୍ତି। ଏବେ ସୁନନ୍ଦା ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ସେ ଆଗକୁ କେଉଁ ଦଳକୁ ଯିବେ ସେ ନେଇ ଜଣାପଡିନଥିବେ ବେଳେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।