୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା: ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବା ନେଇ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ଭିଜନ୍ ଡକୁମେଣ୍ଟ ପାଇଁ ଏକ ୱେବ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବାକୁ ଆହ୍ୱାନ ଦେଇଛନ୍ତି। vision.odisha.gov.in। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଓ୍ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଜନସାଧାରଣ ଏହି ୱେବ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ଚାଟ୍ ବଟ୍ -+91 6370951920 ଏବଂ ଇ-ମେଲ [email protected] ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇପାରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ। ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡ଼ିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ। ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ। ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ। ୨୦୩୬ ଓ ୨୦୪୭ ର ଓଡ଼ିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ।
ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି।