thelifelinemedia
Latest Odisha News, Breaking News Today

ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତିରେ କୌଣସି ପ୍ରକାର ଶିଥିଳତା ନ ଆଣିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ୨୪ ଘଣ୍ଟାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଦିନରାତି ସଜାଗ ରହିବା, ଜଳ ପ୍ରବାହର ପରିବର୍ତ୍ତିତ ସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଯେକୌଣସି ସମ୍ଭାବ୍ୟ ବିପଦ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ବର୍ଷା, ଜଳଭଣ୍ଡାରର ଜଳସ୍ତର ଓ ଜଳ ନିଷ୍କାସନ ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ବନ୍ୟା ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପରିସ୍ଥିତି, ଜଳଭଣ୍ଡାରଗୁଡ଼ିକର ସ୍ଥିତି ଏବଂ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ବୈଠକରେ ଶ୍ରୀମତୀ ଶର୍ମା ସମସ୍ତ ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକମାନଙ୍କଠାରୁ ନିଜ ନିଜ ଅବବାହିକାରେ ହୋଇଥିବା ବର୍ଷା, ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନର ସ୍ଥିତି ଏବଂ ପ୍ରମୁଖ ଜଳ ଭିତ୍ତିଭୂମିର କାର୍ଯ୍ୟକ୍ଷମ ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ। ବର୍ଷାର ପରିବର୍ତ୍ତିତ ସ୍ଥିତି, ଜଳଭଣ୍ଡାରକୁ ଆସୁଥିବା ଜଳର ପରିମାଣ ଓ ନିଷ୍କାସିତ ଜଳ ଉପରେ ନିରନ୍ତର ନଜର ରଖିବା ସହ ପ୍ରଚଳିତ ନିୟମ ଓ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଜଳଭଣ୍ଡାର ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତିରେ କୌଣସି ପ୍ରକାର ଶିଥିଳତା ନ ଆଣିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ୨୪ ଘଣ୍ଟାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଦିନରାତି ସଜାଗ ରହିବା, ଜଳ ପ୍ରବାହର ପରିବର୍ତ୍ତିତ ସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଯେକୌଣସି ସମ୍ଭାବ୍ୟ ବିପଦ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି ଜଳଭଣ୍ଡାରକୁ ହଠାତ୍ ଅଧିକ ଜଳ ପ୍ରବେଶ କରିବାର ସମ୍ଭାବନା, ତଳମୁଣ୍ଡ ଅଞ୍ଚଳର ସ୍ଥିତି ଆକଳନ ଏବଂ ଆବଶ୍ୟକ ସ୍ଥଳେ ତ୍ୱରିତ ସମନ୍ୱିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.