ବେଆଇନ ପାର୍କିଂ ମନା: ନିୟମ ଉଲଙ୍ଘନ କଲେ ଜେଲ ଯିବେ ଡ୍ରାଇଭର

ଭୁବନେଶ୍ୱର: ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୪୫ ଜଣଙ୍କର ଜୀବନ ଯାଇଛି। ତେଣୁ ସମସ୍ତ ଜିଲା ପୋଲିସ ଏ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ ହେଉଛି କୌଣସି ଉଦ୍ଦେଶ୍ୟ ନଥାଇ କୌଣସି ବ୍ୟକ୍ତିର ନିର୍ଦ୍ଧିଷ୍ଟ କାର୍ଯ୍ୟ ଦ୍ୱାରା ଅନ୍ୟ ବ୍ୟକ୍ତିର ମୃତ୍ୟୁ ହେବା। ବିଏନଏସ ଦଫା ୧୦୫ ରେ ୫ ବର୍ଷରୁ ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କରୁଥିଲେ ଏବେଠୁ ସାବଧାନ ହୋଇ ଯାଆନ୍ତୁ।
ବେଆଇନ ପାର୍କିଂ ଯୋଗୁଁ ବିଭିନ୍ନ ସମୟରେ ଘଟୁଥିବା ଅଘଟଣକୁ ରୋକିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପରିବହନ ବିଭାଗ। ଖାସ କରି ସହରାଞ୍ଚଳ ସଂଲଗ୍ନ ରାସ୍ତା ଗୁଡିକରେ ବେଆଇନ ପାର୍କିଙ୍ଗ ସମସ୍ୟା ଜଟିଳ ରୂପ ଧାରଣ କରିଛି। ଏବେ ସମୟ ଆସିଛି ଏହାକୁ ରୋକିବାକୁ। ତେଣୁ ରାଜ୍ୟ ପରିବହନ ବିଭାଗ ଏବେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି।