thelifelinemedia
Latest Odisha News, Breaking News Today

ବାତ୍ୟାକୁ ନେଇ ସରକାରଙ୍କ ମାରାଥନ ସମୀକ୍ଷା: ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ନଭେମ୍ବର ୨ ସୁଦ୍ଧା ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଭାବିତ ଜିଲ୍ଲପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୁଦାୟ ୬୨୧୦ଟି ଆଶ୍ରୟସ୍ଥଳରେ ୮ ଲକ୍ଷରୁ ଅଧିକ ଲୋକ ରହିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି। ମାତ୍ର ୩୦ ହଜାର ଲୋକ ୪୭୦ ଟି ଆଶ୍ରୟସ୍ଥଳୀରେ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି। ସମୁଦାୟ ୨୨. ୮୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨. ୩୨ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱଭାବିକ କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଳ୍ପ କେତୋଟି ଗ୍ରାମ ପଞ୍ଚାୟତ ଏବେବି ଜଳମଗ୍ନ ଅଛି। ଏହା ସତ୍ତ୍ୱେ ବି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଚାଲିଛି। ପାଣି କମିବା ପରେ ବିଦ୍ୟୁତ୍ ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇଯିବ । ୭ହଜାରରୁ ଅଧିକ କର୍ମଚାରୀ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିୟୋଜିତ ହୋଇଛନ୍ତି। ବିଦ୍ୟୁତ୍ ପୁନଃ ଯୋଗାଣ କ୍ଷେତ୍ରରେ ଲୋକମାନେ କର୍ମଚାରୀଙ୍କୁ ସ୍ଵତଃ ପ୍ରବୃତ୍ତ ଭାବେ ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳର ମ୍ୟୁନିସପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୧୨ ଟି ବ୍ଲକ୍ ର ୮୮ ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ ଟି ଗ୍ରାମରେ ପ୍ରାୟ ୨. ୨୧ ଲକ୍ଷ ଏକରରୁ ଅଧିକ ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ପ୍ରଦାନ କରାଯିବ।

Leave A Reply

Your email address will not be published.