ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧେଶ

ଭୁବନେଶ୍ୱର:ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ। ଏହା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।
ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର ଆଣିବାକୁ ସରକାରଙ୍କ ପକ୍ଷରୁ ପରିଚାଳନାକୁ ଦୃଢ଼ କରାଯାଇଛି। କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ବ୍ୟବସ୍ଥା ସହ ବାତ୍ୟା ପ୍ରଭାବିତଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।